କେନ୍ଦ୍ରର ଚାଷୀ ମାରଣ ନୀତିକୁ ବିଜେଡିର ବିରୋଧ,ଆନ୍ଦୋଳନ ଚେତାବନୀ

1 min read

ଭୁବନେଶ୍ୱର: ଆଜି ବି ଚାଲିପାରୁନି ଗୃହ। ବିରୋଧିଙ୍କ ହଟ୍ଟଗୋଳ ଯୋଗୁ ମୁଲତବୀ ହେଉଛି ଗୃହ। ଗୃହ ଚଳାଇନଦେବା ପ୍ରତିବାଦରେ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ। ଓଡ଼ିଶାକୁ ସବୁବେଳେ ଅବହେଳା କରୁଛନ୍ତି କେନ୍ଦ୍ର ସରକାର। ରାଜ୍ୟର ଚାଷୀଙ୍କ ପ୍ରତି ଅବିଚାର କରୁଛି କେନ୍ଦ୍ର। ଏସବୁ ପ୍ରସଙ୍ଗକୁ ଲୁଚାଇବାକୁ ବିଜେପି ଗୃହ ଚଳାଇଦେଉନଥିବା ବିଜେଡି ଅଭିଯୋଗ କରିଛି। ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରାଯାଉନଥିବାରୁ ପ୍ରତିବାଦ କରିଛି ଶାସକ ଦଳ। ଏହାସହିତ ରବି ଋତୁରେ ଧାନର ଏମ୍‌ଏସ୍‌ପି ବୃଦ୍ଧି କରାଯାଉନଥିବାରୁ ବିଜେଡି ଉଦବେଗ ପ୍ରକାଶ କରିଛି।

୪ ବର୍ଷ ପୂର୍ବରୁ ସର୍ବଦଳିୟ ହମ୍ମତି କ୍ରମେ ରିଜୋଲେସନ ପାସ ହୋଇଥିଲା। ଧାନର ସହାୟକ ମୂଲ୍ୟକୁ ୨୯୩୦ କରାଯାଉ ବୋଲି ଦାବି ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ ଚାଷୀ ମାନଙ୍କ କଥା ବୁଝିବା ପାଇଁ। କିନ୍ତୁ ବିଜେଡି ସବୁବେଳେ ଚାଷୀ ମାନଙ୍କର ସହିତ ରହିଛି। ତେବେ ଆସନ୍ତା ରବି ଫସଲରେ ଧାନର ସହାୟକ ମୂଲ୍ୟକୁ ୨୯୩୦କୁ ବୃଦ୍ଧି କରାଯାଉ ବୋଲି ବିଜେଡି ଦାବି କରିଛି।

ବିଜେପି ସଦସ୍ୟ ମାନେ ରାଜ୍ୟ ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି ବିଜେଡି କହିଛି। ଓଡ଼ିଶା ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ଅଧିକ ଧାନ ଚାଷ ହେଉଛି। ସେହି ଅନୁପାତରେ ଅଧିକ ଚାଉଳ ମଧ୍ୟ ଉତ୍ପାଦନ ହେଉଛି। ମାତ୍ର ଏଫସିଆଇ ଚାଉଳ ନେଉନାହିଁ। କୃଷକ ମାରଣ ନୀତି ଚଳାଇଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ରାଜ୍ୟର ଆବଶ୍ୟକ ମୁତାବକ ସାର ମଧ୍ୟ କେନ୍ଦ୍ର ଦେଉନାହିଁ।

ଏଗ୍ରିମେଣ୍ଟ ଅନୁସାରେ ସାର ଦେଉନାହାନ୍ତି କେନ୍ଦ୍ର ସରକାର ବୋଲି ବିଜେଡି କହିଛି। ରାଜ୍ୟ ଏଯାଏଁ  ୨ଲକ୍ଷ ୨୭ହଜାର ମେଟ୍ରିକ ଟନ୍ କମ ସାର ପାଇଛି। ଫଳରେ ମରୁଡି ସମୟରେ ଚାଷୀ ଅଧିକ ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଲାଭ ପାଉନାହାନ୍ତି କିନ୍ତୁ କମ୍ପାନୀ ଲାଭ ପାଉଛନ୍ତି। ଚାଷୀଙ୍କ ପାଇଁ ବିଜେଡି ସବୁବେଳେ ଆଗକୁ ଆସିଛି। ଆଗକୁ ଚାଷୀଙ୍କ ପାଇଁ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି।

କେନ୍ଦ୍ର ସବୁବେଳେ ଚାଷୀ ମାନଙ୍କୁ ଅବହେଳା କରିଆସୁଛି। ସେ ସାର କ୍ଷେତ୍ରରେ ହେଉ କି ଏମ୍‌ଏସ୍‌ପି କ୍ଷେତ୍ରରେ ହେଉ। ଚାଷୀକୁ ସବୁବେଳେ ଅବହେଳା କରିଆସୁଛି କେନ୍ଦ୍ର। ଚାଷୀଙ୍କୁ ଅବହେଳା କରି ବୀମା କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଆଜି ଚାଷୀଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଯଦି ଏହା ସମାଧାନ ନହୁଏ ତେବେ ଆଗକୁ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ବୋଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି।

ସେହିପରି ରବି ଫସଲର ଏମ୍‌ଏସ୍‌ପି ବୃଦ୍ଧି, ସାର ଏବଂ ଫସଲ ବୀମା ଯାହା ଏବେ ୬୦-୪୦ ରେ ଚାଲିଛି ତାହା ୫୦-୫୦ କରାଯାଉ ବୋଲି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି।

Leave a Reply