ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ଧାନ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର: ବିଜେଡି
1 min readଭୁବନେଶ୍ବର: ମଣ୍ଡି ଅବ୍ଯବସ୍ଥା ନେଇ ବିରୋଧୀ ଦଳ ଉପନେତା ତଥା ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉଦବେଗ । ହଜାର ହଜାର ବସ୍ତା ଧାନ ବର୍ଷାରେ ହେଉଛି ନଷ୍ଟ । ଧାନ ଅମଳ ହୋଇ ସାରିଥିଲେ ବି ଚାଷୀକୁ ମିଳିନି ଟୋକନ । ଚାଷୀ କେଉଁଠି ଧାନ ରଖିବେ ପ୍ରଶ୍ନ କରିବା ସହ କହିଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଧାନ ସଂଗ୍ରହ କରୁଛନ୍ତି । ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲକୁ ଯାଉଛି । ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।
ସେ କହିଛନ୍ତି, ବର୍ଷାରେ ଧାନର ରଙ୍ଗ ବଦଳି ଯିବ । FAQ କ୍ୱାଲିଟି ରହିବ ନାହିଁ । ଯାହାଦ୍ବାରା ଚାଷୀ କ୍ଷତି ସହିବ । ଚାଷୀ ବାଧ୍ୟ ହୋଇ ଦଲାଲଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବ । ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଯାଇଛି । ଦଲାଲଙ୍କୁ ନିୟନ୍ତ୍ରଣ କରନ୍ତୁ ସରକାର । ମଣ୍ଡିରେ କେମିତି ଚାଷୀଙ୍କ ଧାନ ସୁରକ୍ଷିତ ରହିବ, ସେ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ । ପ୍ରସନ୍ନ ଅଭିଯୋଗ କରିଛନ୍ତି, ସରକାର କହିଥିଲେ କଟନୀ ଛଟନୀ ହେବ ନାହିଁ । କିନ୍ତୁ ଏବେ ବି କଟନୀ ଛଟନୀ ଚାଲିଛି ।
ଅନ୍ଯପଟେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ଏ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ବୋଧେ କିଛି ମନ୍ତ୍ର ଅଛି ବୋଲି କହୁଛନ୍ତି ଖରାରେ ଶୁଖାଇଲେ ଧାନ ଠିକ ହୋଇଯିବ । ବର୍ଷା ହେଲେ ଧାନ ନଷ୍ଟ ହେବ । ମଣ୍ଡି ବ୍ୟବସ୍ଥା ନାହିଁ । FAQ ମାନ ବ୍ୟବସ୍ଥାରେ ଥିବା ତ୍ରୁଟି ନ ସୁଧୁରିଲେ ଧାନ ବିକିବା କଷ୍ଟକର ହୋଇଯିବ । ଯେଉଁ ଧାନ ଅଛି, ବର୍ଷା ଯୋଗୁଁ ନଷ୍ଟ ହୋଇଯିବ । ତେଣୁ ସବୁ ଧାନ ଉଠାଇବାକୁ ସେ ଦାବି କରିଛନ୍ତି । କେବଳ କାଗଜକଲମରେ ସୀମିତ ନ ରୁହନ୍ତୁ ସରକାର । ଅନେକ ସ୍ଥାନରେ ଧାନ ଅମଳ ବି ହୋଇନି । ଆଉ ଅମଳ ହୋଇ ପାରିବ ନା ନାହିଁ ସନ୍ଦେହ ବୋଲି ଆଶଂକା ପ୍ରକାଶ କରିଛନ୍ତି ସେ ।