spot_img

Latest Posts

‘ସିବିଆଇ କେତେଥର ଏଫବିଆଇର ସହାୟତା ନେଇଛି ନିଜ ଦଳର କେନ୍ଦ୍ରୀୟ ନେତାଙ୍କୁ ପଚାରନ୍ତୁ’

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇ ସାରିଥିଲେ ମଧ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରି ବିଧାନସଭାକୁ ବନ୍ଦ କରୁଛନ୍ତି। ଫଳରେ ବିଧାନସଭାରେ ଓଡ଼ିଶାବାସୀଙ୍କ ସମ୍ବଳିତ ଆହୁରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁ ନାହିଁ। ତେଣୁ ଏଭଳି ବାଚଳାମୀ ଓ ପାଗଳାମୀରୁ ବିରୋଧୀଦଳ ନେତା କ୍ଷାନ୍ତ ରହିବା ଉଚିତ। ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ବିବୃତି ଦେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଏମିତି ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ।

ସେ କହିଛନ୍ତି ଯେ ବିଧାନସଭାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଜୟନାରାୟଣ ମିଶ୍ର ଓ ଅନ୍ୟ ବିଜେପି ବିଧାୟକମାନେ ବହୁବାର ପ୍ରଶ୍ନ କରିଛନ୍ତି, ମୁଲତବୀ ପ୍ରସ୍ତାବ ଆଣିଛନ୍ତି, ଗୃହ ବିଭାଗର ଆଲୋଚନା ବେଳେ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଛି, ଯେ କୌଣସି ବିଭାଗର ଆଲୋଚନା ବେଳେ ମଧ୍ୟ ସେମାନେ ଟାଣିଓଟାରି ଏକଥା ପକାଇଛନ୍ତି। ଚଳିତ ଅଧିବେଶନର ସବୁତକ ଦିନ ସେହି ଗୋଟିଏ କଥାକୁ ଉଠାଉଛନ୍ତି। ଯେଉଁମାନଙ୍କର ଟିକେ ପାଗଳାମୀ ଥାଏ, ସେମାନେ ଗୋଟିଏ କଥାକୁ ବାରମ୍ବାର କହି ଚାଲିଥାନ୍ତି। ଠିକ୍ ସେମିତି ବିରୋଧୀଦଳ ନେତା ଅଭ୍ୟାସଗତ କାହାଣୀକାର ଭଳି ଏହି ଗୋଟିଏ ପ୍ରସଙ୍ଗରେ ମନଗଢ଼ା କାହାଣୀ ଗପି ଚାଲିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ସେ ମାନସିକ ସ୍ତରରେ ଅସୁସ୍ଥ ଓ ଦେବାଳିଆ ହୋଇ ଯାଇଛନ୍ତି। କେତେବେଳେ କ’ଣ କହୁଛନ୍ତି ତାହା ନିଜେ ଜାଣି ପାରୁନାହାନ୍ତି।

କେନ୍ଦ୍ର ସରକାରଙ୍କ ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ କେତେଥର ଏଫବିଆଇର ସହାୟତା ଲୋଡ଼ିଛି, ବିରୋଧୀଦଳ ନେତା ତାହା ଯଦି ଜାଣନ୍ତି ନାହିଁ, ତେବେ ନିଜ ଦଳର କେନ୍ଦ୍ରୀୟ ନେତାମାନଙ୍କୁ ପଚାରନ୍ତୁ। ଏ ବିଷୟରେ କିଛି ମନ୍ତବ୍ୟ ଦେବା ପୂର୍ବରୁ  ସେ ଆଗ  ସେମାନଙ୍କଠାରୁ ବୁଝନ୍ତୁ। ଯଦି ସେ ଭାବୁଥାନ୍ତି ଯେ ବିଧାନସଭା କେବଳ ଗୋଟିଏ ଘଟଣାକୁ ନେଇ ଚାଲିବ, ଓଡ଼ିଶାବାସୀଙ୍କର ଆଉ ଅନ୍ୟାନ୍ୟ ପ୍ରସଙ୍ଗ ତାଙ୍କ ପାଇଁ ମୂଲ୍ୟହୀନ ବୋଲି ମନେ କରି ସେ ବିଧାନସଭାରେ ଆଲୋଚନା କରାଇଦେବାକୁ ଚାହୁଁ ନ ଥାନ୍ତି, ତାହେଲେ ଏହା ଅତ୍ୟନ୍ତ ରୁଗ୍ଣ ମାନସିକତାର ପରିଚୟ ବୋଲି ଅରୁଣ ସାହୁ କହିଛନ୍ତି।

ବିରୋଧୀଦଳ ନେତାଙ୍କୁ ତୀବ୍ର ସମାଲୋଚନା କରି ଅରୁଣ ସାହୁ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାର ଯେଉଁ ବଜେଟ୍ ତିଆରି କରିଛନ୍ତି, ତାହା ଓଡ଼ିଶାବାସୀଙ୍କ ପାଇଁ ପ୍ରେରିତ। ମାତ୍ର ବିରୋଧୀଦଳ ନେତାଙ୍କ ପାଇଁ ଏସବୁ କିଛି ମାନେ ରଖେ ନାହିଁ। ବିଧାନସଭାରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାକୁ ଥିବାବେଳେ ସେ ନବଦାସ ହତ୍ୟା ମାମଲା ସଂପର୍କରେ ମନଗଢ଼ା କାହାଣୀ ଗପୁଛନ୍ତି।

ବିଧାନସଭାର ସମୟ ନଷ୍ଟ କରିବା ଏବଂ କୌଣସି କାରଣ ନ ଥାଇ ବିଧାନସଭାକୁ ବନ୍ଦ କରିଦେବା ତାଙ୍କ ମାନସିକ ଦେବାଳିଆପଣକୁ ସୂଚାଉଛି।  ଅସଲ କଥା ହେଲା, ନବ ଦାସଙ୍କ ହତ୍ୟା ମାମଲାରୁ ରାଜନୈତିକ ଫାଇଦା ନେବା ଲାଗି ଜୟନାରାୟଣ ବାବୁ ଆପ୍ରାଣ ଚେଷ୍ଟା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖି ସବୁ କଥା ସ୍ପଷ୍ଟ କଲା ପରେ ମଧ୍ୟ ସେ ହୀନ ରାଜନୀତି କରୁଛନ୍ତି। ଗୋପାଳକୁ ପାଗଳ କହି କହି ନିଜେ ପାଗଳ ବୋଲି ସମସ୍ତଙ୍କ ଆଗରେ ପରିଚୟ ଦେଉଛନ୍ତି। ତେଣୁ ବିରୋଧୀଦଳ ନେତା ବିଧାନସଭାରେ ପାଗଳାମୀ ଓ ବାଚଳାମୀ ବନ୍ଦ କରି ଓଡ଼ିଶା ଲୋକଙ୍କ ଲାଗି ଲଢ଼େଇ କରନ୍ତୁ ବୋଲି ସେ କହିଛନ୍ତି।

Latest Posts

Don't Miss