ଆଉ ବିଜେପି ନୁହେଁ, ସମୟ ସରି ସରି ଆସୁଛି: ଅରୁଣ

1 min read

ଭୁବନେଶ୍ବର: ଆଉ ବିଜେପି ନୁହେଁ, ବିଜେପିର ସମୟ ସରି ସରି ଆସୁଛି । ଯଦି ହରିୟାଣା ଓ ଜାମ୍ମୁ-କାଶ୍ମୀର ନିର୍ବାଚନରେ ବିଜେପି ପରାଜିତ ହୁଏ ଓ କଂଗ୍ରେସ କି ଅନ୍ଯ ଦଳ ଶାସନକୁ ଫେରନ୍ତି ଦେଶକୁ ଏହି ବାର୍ତ୍ତା ଯିବ । ଏମିତି କହି ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ବରିଷ୍ଠ ନେତା ଅରୁଣ ସାହୁ ।

ସେ କହିଛନ୍ତି, ଏକଜିଟ ପୋଲରେ କଂଗ୍ରେସ ଆଗୁଆ ଅଛି । ବିଜେପିକୁ ମିଳିଛି ବହୁତ କମ ସିଟ୍ । ୨୦୨୪ ସାଧାରଣ ନିର୍ବାଚନର ଚାରିମାସ ପରେ ହରିଆଣା ଓ ଜାମ୍ମୁ-କାଶ୍ମୀରରେ ନିର୍ବାଚନ ହେଇଛି । ଯେଉଁ ସଂସ୍ଥାଗୁଡ଼ିକ ସର୍ଭେ କରିଛନ୍ତି ତାଙ୍କ ଆକଳନ କହୁଛି, ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ବିଜେପିର ପରାଜିତ ହେବ । ସାଧାରଣ ନିର୍ବାଚନରେ ଆମକୁ ବହୁମତ ମିଳିଲା ବୋଲି ବିଜେପି ଯେଉଁ ଭଳି ଡିମଡିମ ପିଟିଲେ ତାହା ବୃଥା ହୋଇଯିବ । ନିର୍ବାଚନ ଫଳାଫଳ ତାଙ୍କ ବିପକ୍ଷରେ ଗଲେ ବିଜେପି ଭାବି ନେବା ଦରକାର ବିକ୍ଷିପ୍ତ ସମର୍ଥନ ଥିଲା । ତାଙ୍କ ଦଳର ନେତା ନୀତିନ ଗଡକରୀ ଆଗୁଆ କହିସାରିଛନ୍ତି ଯେ, ଚତୁର୍ଥ ପାଳି ଆଶା କରିବା ଠିକ୍ ନୁହେଁ କଥା ପ୍ରମାଣିତ ହୋଇଯିବ ।

ସେପଟେ ଓଡ଼ିଶା ପରିପ୍ରେକ୍ଷୀରେ କେବଳ ନବୀନ ପଟ୍ଟନାୟକ ହିଁ ଜନତାଙ୍କ ହୃଦୟରେ ରହିଥିବା କହିଛନ୍ତି ଅରୁଣ । ନବୀନ ହିଁ ଓଡ଼ିଶାର ବିକଳ୍ପ । ସରକାରୀ ଦଳ ନେତା ବି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କହି ଦେଉଛନ୍ତି । ଆଜି ଯଦି ନିର୍ବାଚନ ହୁଏ ତେବେ ତାହା ବିଜୁ ଜନତା ଦଳ ସପକ୍ଷରେ ଯିବ ବୋଲି ଅରୁଣ କହିଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ଦିଲ୍ଲୀରେ ଥିବା ସରକାର ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ଲୋକେ ବିଜେପିଠାରୁ ମୁହଁ ଫେରାଉଛନ୍ତି । ଲୋକେ ମନ ବଦଳେଇ ସାରିଛନ୍ତି । ରେଜଲ୍ଟ ଭଲ ହେଉ ଅବା ନ ହେଉ କଂଗ୍ରେସ ଫେରିବ ।