କ୍ଷମା ମାଗନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ବିଜେଡି

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ବିଧାନସଭାରେ ବର୍ଷିଲା ବିଜେଡି। ରାଜନୈତିକ ଉଦ୍ଦେଶ୍ୟ ରଖି ପରୀ ହତ୍ୟା ମାମଲାରେ ଓଡ଼ିଶାକୁ ବଦନାମ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ମୋହନ ମାଝିଙ୍କ ସମେତ ବିଜେପି ବିଧାୟକ ଓ ସାଂସଦ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ। ଅଦାଲତରେ ପରୀ ହତ୍ୟା ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇଲା ପରେ ବିଜେପିର ମିଛ ଅପପ୍ରଚାର ଏବେ ଧରାପଡିଛି। ପରୀ ହତ୍ୟା ଭଳି ଅନେକ ସ୍ପର୍ଶକାତର ବିଷୟରେ ବିଜେପି ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି। ଏହାର ପ୍ରତିବାଦରେ ଆଜି ଗୃହ ଆରମ୍ଭରୁ ବିଜେପିକୁ ବିଧାନସଭାରେ ବିରୋଧ କରିଛି ବିଜେଡି।

ପରୀ ହତ୍ୟା ଘଟଣାରେ ଗୋଟେ ପଟେ ହୀନ ରାଜନୀତି ଓ ଅନ୍ୟପଟେ ଦୋଷୀକୁ ଖସାଇ ଦେବା ପାଇଁ ଚକ୍ରାନ୍ତ କରିଥିଲା ବିଜେପି। ଦୋଷୀକୁ ଦଣ୍ଡବିଧାନ ସହ ଘଟଣାର ଖୁଲାସା ହୋଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଅଦାଲତରେ ରାୟ ଆସିବା ପରେ ମାନବିକତା ଦୃଷ୍ଟିରୁ ବିଜେପି ନେତାମାନେ ତୁରନ୍ତ ମାଗିବା ପାଇଁ ବିଜେଡି ଦାବି କରିଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ମିଛ ବୟାନବାଜିକୁ ନେଇ ଉଭୟ ଗୃହ ଭିତରେ ଓ ବାହାରେ ବର୍ଷିଛନ୍ତି ବିଜେଡି ବିଧାୟକ। ଉଭୟ ନେତାଙ୍କୁ ଦଳ ବହିଷ୍କାର କରିବା ସହ କ୍ଷମା ପ୍ରାର୍ଥନା ଦାବି କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ। ବିଭିନ୍ନ ପ୍ରସଙ୍ଗରେ ବିଜେପିର ଏପରି ହୀନ ଚକ୍ରାନ୍ତକୁ ଲୋକେ ବୁଝିଲେଣି ଓ ଆଗାମୀ ଦିନରେ ଏହାର ଜବାବ ଓଡ଼ିଶାବାସୀ ଦେବେ ବୋଲି ବିଜେଡି ବିଧାୟକ ଓ ମନ୍ତ୍ରୀମାନେ କହିଛନ୍ତି।