ପିପିଲି ଉପ ନିର୍ବାଚନ: ପ୍ରଚାର କରିବାକୁ ନବୀନଙ୍କୁ ଅନୁରୋଧ କରିବେ ନେତା ଓ କର୍ମୀ

1 min read

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ । କଟକଣା ମଧ୍ୟରେ ପ୍ରଚାର ନେଇ ସବୁ ରାଜେନୖତିକ ଦଳ କସରତ କରୁଛନ୍ତି । ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍‌ ଆଶାବାଦୀ ଅଛି। ସେପଟେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଚାରରେ ସାମିଲ କରିବାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି ବିଜେପି । ରେସ୍‌ରେ ସାମାନ୍ୟ ପଛରେ ଥିବା କଂଗ୍ରେସ ଏକ୍‌ ହୋଇ ପ୍ରଚାର କରିବାକୁ ସମନ୍ୱୟ ବୈଠକ କରିଛି ।

ଉପନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ପିପିଲିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସମ୍ବୋଧନ କରିଥିଲେ । ଯାହା ଭୋଟରଙ୍କୁ ବେଶ୍ ପ୍ରଭାବିତ କରିଥିବାର ଆତ୍ମବିଶ୍ୱାସ ଦେଖାଇଛି ବିଜେଡି । ଏଥର ବି ଭର୍ଚୁଆଲରେ ପ୍ରଚାର କରିବା ପାଇଁ ନବୀନଙ୍କୁ ନେତା ଓ କର୍ମୀ ଅନୁରୋଧ କରିବେ  । ନେତାମାନେ ପ୍ରଚାରକୁ ଯିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ।  ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସରିଛି । ୱାର୍ଡସ୍ତରରେ ତିନି-ଚାରି ଜଣଙ୍କୁ ନେଇ ଦଳ ପ୍ରଚାର କରିବ । କରୋନା କଟକଣା ମାନି ଛୋଟ ଛୋଟ ସଭା କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବିଜେପି ଡିଜିଟାଲ ମୋଡ୍‌ରେ ପ୍ରଚାର ସହ ଘର ଘର ବୁଲିବ। କେନ୍ଦ୍ର ମନ୍ତ୍ରୀମାନଙ୍କ ସମେତ ସମସ୍ତ ଷ୍ଟାର ପ୍ରଚାରକ ପିପିଲିରେ ପ୍ରଚାର କରିବେ ।  ସେପଟେ ଏକଜୁଟ ହୋଇ ପ୍ରଚାର କରି ଭଲ ଲଢ଼େଇର ଆକଳନ କରିଛି କଂଗ୍ରେସ। ଦଳର ବାର୍ତ୍ତା ପିପିଲିର ଘରେ ଘରେ ପହଞ୍ଚାଇବାକୁ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ପିସିସି ପ୍ରଭାରୀଙ୍କ ସମେତ ସବୁ ଷ୍ଟାର କ୍ୟାମ୍ପେନର ମଇଦାନକୁ ଓହ୍ଲାଇବେ । କର୍ମୀମାନେ ପାଣ୍ଠି ଦେଇ ପ୍ରାର୍ଥୀଙ୍କୁ ସହଯୋଗ କରିବେ ବୋଲି କଂଗ୍ରେସ କହିଛି ।

ପିପିଲି ଉପନିର୍ବାଚନ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ। କାରଣ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏହା ପ୍ରାକ ପ୍ରସ୍ତୁତି ସଦୃଶ । ଫଳାଫଳରୁ ଜଣାପଡ଼ିବ, କେଉଁ ଦଳ ପ୍ରତି ଭୋଟର ଆକର୍ଷିତ ହେଉଛନ୍ତି।

Leave a Reply