ବୁଧବାର ଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ବୁଧବାର ଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ବିଜେଡି । ବିଜେଡିର ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା ଶେଷ ହୋଇଛି । ଗୋପବନ୍ଧୁ ଜୟନ୍ତୀ ଠାରୁ ଆରମ୍ଭ ହେବ ସଭ୍ୟ ସଂଗ୍ରହ ଅଭିଯାନ । ସଭ୍ୟ ସଂଗ୍ରହ ପାଇଁ ଖସଡା ପ୍ରସ୍ତୁତ ହୋଇଛି । ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଗଠନ ହେଇଛି ୨୨ ଜଣିଆ କମିଟି ।  ପୂର୍ବଥର ପ୍ରାଇମେରୀ ମେମ୍ବର ସଂଖ୍ୟା କୋଟିଏ ଛୁଇଁଥିଲା । ଏଥର ଛାତ୍ର ଓ ଯୁବବର୍ଗଙ୍କୁ ଫୋକସରେ ରଖାଯାଇଛି ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାବାସୀଙ୍କ ସେବାରେ ବିଜେଡି ସମର୍ପିତ । ଏବେ ଯେଉଁ ବିରୋଧୀ ଦଳ ଦାୟିତ୍ୱ ଲୋକେ ଦେଇଛନ୍ତି, ଏହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାକୁ ବିଜେଡି ସଂକଳ୍ପବଧ । ତୃଣମୂଳ ସ୍ତରରେ ବିଜେଡିକୁ ମଜଭୁତ କରିବାକୁ ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରୁଛି ବିଜେଡି । ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିପୁଳ ସଫଳତା ମିଳିଛି । ପ୍ରାୟ ୨୨ଟି ଜିଲ୍ଲାରେ ପଦଯାତ୍ରା ସରିଛି । ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଜନସମ୍ପର୍କ ଯାତ୍ରା । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅଧିକାଂଶ ଗାଁରେ ହେବ  । ଲୋକଙ୍କ ଆଶା ପୂରଣ ପାଇଁ ପଦଯାତ୍ରା ଜରିଆରେ ବିଜେଡି ଲୋକଙ୍କ ସହ ଯୋଡି ହୋଇଛି । ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି କାର୍ଯ୍ୟକ୍ରମ ଜାରି ରଖିଛି । ଓଡ଼ିଶାବାସୀ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହା ନିର୍ବାହ କରୁଛି ବିଜେଡି । ଏହି ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା  ଉପସ୍ଥିତ ଥିଲେ ।