ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିଲା ବିଜେଡି, କଲା ରାଜ୍ଯ ସ୍ବାର୍ଥ ସମ୍ପର୍କୀତ ଦାବି

1 min read

ଭୁବନେଶ୍ବର: ବିଜେଡି ପ୍ରତିନିଧି ଦଳ ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିଛି । କମିଶନଙ୍କୁ ଭେଟି ରାଜ୍ଯ ସ୍ବାର୍ଥ ସମ୍ପର୍କୀତ ଦାବି ଉତ୍ଥାପନ କରିଛି ବିଜେଡି । ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତାକୁ ପୁଣି କମିଶନଙ୍କ ଆଗରେ ଦୋହରାଇଛି ବିଜେଡି ।

ଉତ୍ତରପୂର୍ବ ରାଜ୍ୟଗୁଡିକ ପରି ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା, ଖଣି ରୟାଲିଟି ବୃଦ୍ଧି କରିବାକୁ ଦଳ ଦାବି କରିଛି । ସେସ ସରଚାର୍ଜ ବୃଦ୍ଧି ହୋଇ ଚାଲିଛି କିନ୍ତୁ ସେହି ଅନୁସାରେ ରାଜ୍ଯକୁ ବଣ୍ଟା ଯାଉନି । ଏଥିରେ ମଧ୍ଯ ଅଂଶରେ ବୃଦ୍ଧି ଲାଗି ଦଳ ଦାବି କରିଛି । କ୍ଲିନ ଏନର୍ଜି, ପୂଜାସ୍ଥଳୀ ଗୁଡିକ ପାଇଁ ସ୍ୱତନ୍ତ୍ର ପାଣ୍ଠି ସହ ଅର୍ବାନ କ୍ଲଷ୍ଟର ୪ଟି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଦାବି ଉପସ୍ଥାପନକୁ ବିଜେଡିର ସମାଲୋଚନା

ଅର୍ଥ କମିଶନଙ୍କ ଆଗରେ ଦାବି ଉପସ୍ଥାପନା ନେଇ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି । ୨୦୨୪ ନିର୍ବାଚନ ଇସ୍ତାହାରରେ ଯାହା କହିଥିଲେ ତାକୁ କାର୍ଯ୍ୟକାରୀ କରିବା ଲାଗି କମିଶନଙ୍କ ଆଗରେ ସରକାର ସେପରି ଉପଯୁକ୍ତ ଦାବି ଉପସ୍ଥାପନ କରିନାହାଁନ୍ତି । ଏହା ଦୁଃଖର ବିଷୟ ବୋଲି କହିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ । ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଉ ବୋଲି ମୁଖ୍ଯମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେନି । ସେମାନେ ମେମୋରାଣ୍ଡମ ତିଆରି କରିଛନ୍ତି ନା ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଅମର । ଅର୍ଥ କମିଶନଙ୍କ ପରି ଏକ ବଡ଼ ପ୍ଲାଟଫର୍ମରେ ରାଜ୍ଯ ସ୍ବାର୍ଥକୁ ବଳିଦେବା କି ବୋଲି ପ୍ରଶ୍ନ କରିଛନ୍ତି ଅମର ।

ରାଜ୍ଯର ଆର୍ଥିକ ସ୍ଥିତି ଯୋଗୁଁ ସରକାର ଅଦିନିଆ ବର୍ଷାରେ ଚାଷୀଙ୍କୁ କ୍ଷତିପୂରଣ ଦେଇ ପାରୁନାହାନ୍ତି । ତେଣୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗିବାର ଥିଲା । କମିଶନଙ୍କ ଆଗରେ ରାଜ୍ଯର ସ୍ବାର୍ଥ ଉପସ୍ଥାପନ କରିବା କଥା । ଏଥିରେ ରାଜନୈତିକ ସ୍ୱାର୍ଥ ରହିବା କଥା ନୁହେଁ । ଏବେ ଡବଲ ଇଞ୍ଜିନ ସରକାର । ତେଣୁ ସରକାର ବେଶୀ ଦାବି ରଖିବା ଉଚିତ କହି ତେରେଚ୍ଛା ବାଣ ମାରିଛି ବିଜେଡି । ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ନାହିଁ । କେବଳ ନିଜର ସରକାର ବିଷୟରେ ଭାବୁଛନ୍ତି । ଏହା ରାଜ୍ୟବାସୀଙ୍କ ପାଇଁ ଗୋଟେ ଉପହାସ ବୋଲି କହିଛନ୍ତି ଅମର ।

ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟି ଦାବି ଉପସ୍ଥାପନ କଲା ବିଏମସି

ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିବା ସହ ବିଭିନ୍ନ ଦାବି ରଖିଲେ ବିଏମସି ମେୟର ସୁଲୋଚନା ଦାସ । ସହରାଞ୍ଚଳ ପାଇଁ ଯାହା ଦରକାର ତାହା ଦାବି ରଖିଛୁ ବୋଲି କହିଛନ୍ତି ସୁଲୋଚନା । ଯେଉଁଠି ସହର ବଢୁଛି ସେଠି ଲୋକଙ୍କ ଆବଶ୍ୟକତା ବଢୁଛି । ସେଥିପାଇଁ ଭିତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ଦାବି ରଖାଯାଇଛି । ପବ୍ଲିକ ଡେଲିଭରି ସିଷ୍ଟମକୁ ବଢ଼ାଇବା ସହ ୱେଷ୍ଟ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ପାଇଁ ସ୍ଥାୟୀ ଭାବରେ ରଖାଯାଇଥିବା ସୁବିଧାକୁ ଅଧିକ ମଜଭୁତ କରାଯିବାକୁ ଦାବି କରାଯାଇଛି ।

ଅର୍ଥ ବଢ଼ାଇବା ସହ ଟାଏଡ ଓ ଅନଟାଏଡ ଫଣ୍ଡ ଅର୍ଥ ବଢ଼ାଇବା ପାଇଁ ଦାବି ରଖାଯାଇଛି । ସଠିକ ସମୟରେ କେମିତି ସରକାରୀ ଅର୍ଥ ପହଞ୍ଚିବ ତା’ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି । ୨୦୨୪-୨୫ର ସିଏଫସି ଅର୍ଥ ଏଯାଏଁ ବିଏମସି ପାଇନାହିଁ । ଯାହାକୁ ନେଇ ଅର୍ଥ କମିଶନଙ୍କ ନିକଟରେ କଥା ରଖିଛି ବିଏମସି । ବିଏସସି ସମେତ ଅନ୍ୟ ଅର୍ବାନ ଲୋକାଲ ବଡି ଅଧିକାରୀମାନେ ଅର୍ଥ କମିଶନଙ୍କ ନିକଟରେ ନିଜର ଦାବି ରଖିଛନ୍ତି ।