ବଜେଟ୍ ଅଧିବେଶନ ପୂର୍ବରୁ ଆଜି ବସୁଛି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ଅପରାହ୍ନରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ୫ଟାରେ ବୈଠକ ବସିବ । ବଜେଟ୍ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ଆଭିମୁଖ୍ୟ କଣ ରହିବ, ସେନେଇ ବୈଠକରେ ଆଲୋଚନା ହେବ । ଏଥର ବଜେଟ୍ ଅଧିବେଶନ ଅଧିକ କ୍ରିୟାଶୀଳ ହେବ ବୋଲି ଜଣାପଡିଛି ।

ଦେଶରେ କୋଭିଡ୍ ଟିକାକରଣ ଜାରି ରହିଛି । ଜାତୀୟ ଅର୍ଥନୀତି ପୂର୍ଣ୍ଣ ଭାବେ ଟ୍ରାକକୁ ଫେରିନାହିଁ । ସେହିପରି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ତେଣୁ କେନ୍ଦ୍ର ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଘେରିପାରନ୍ତି ବିରୋଧୀ । କୃଷି ଆଇନ ସଂପର୍କିତ ଆଲୋଚନା ବେଳେ ବିଜେଡି ଆଭିମୁଖ୍ୟ କଣ ରହିବ, ସେନେଇ ଆଜିର ବୈଠକରେ ଆଲୋଚନା ହୋଇପାରେ । ସେହିପରି ଓଡିଶା ସଂପର୍କିତ ଦାବିକୁ ବିଜେଡି ସବୁବେଳେ ପ୍ରାଥମିକତା ଦେଇଥାଏ । ତେଣୁ ରେଳ ବଜେଟ୍‌ରେ ପର୍ଯ୍ୟାପ୍ତ ଅନୁଦାନ, ସ୍ୱତନ୍ତ୍ର ଆର୍ଥିକ ସହାୟତା, ଧାନ କ୍ରୟ ନେଇ କେନ୍ଦ୍ରୀୟ ବକେୟା ଅନୁଦାନ ପ୍ରଦାନ, ଧାନର ଏମ୍‌ଏସ୍‌ପି ବୃଦ୍ଧି ଦାବିକୁ ଅଗ୍ରାଧିକାର ମିଳବ ବୋଲି ଆଶା କରାଯାଉଛି ।

ସେହିପରି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ବିଜେଡି ପୁଣି ଉଠାଇପାରେ । ଆସନ୍ତା ୨୯ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବ୍ରୁଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ।

Leave a Reply