ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ
1 min readଭୁବନେଶ୍ୱର: ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ୍ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକ ପରେ ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ । ସେଠାରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧୀନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ମିଡିଆ ସେଲର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପାଣ୍ଡିଆନ କହିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ନବୀନ ସରକାରଙ୍କ ଦ୍ୱାରା ନିରନ୍ତର ଭାବେ ବିଗତ ୨୪ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି, ଯାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ୱ ବୋଲି ପାଣ୍ଡିଆନ କହିଥିଲେ । ବୈଠକରେ ମିଡିଆ ସେଲର ସଦସ୍ୟ ଯଥା, ସଂଯୋଜକ ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ଡ.ସସ୍ମିତ ପାତ୍ର, ସୁଲତା ଦେଓ, ସଂତୃପ୍ତ ମିଶ୍ର, ଲେନିନ ମହାନ୍ତି, ସ୍ୱୟମପ୍ରକାଶ ମହାପାତ୍ର, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ମିହିର ରାୟ, ଓମପ୍ରକାଶ ସାହୁ, ଅମିତ ମଲ୍ଲିକ, ଡ. ହରିଶ ଚୌଧୁରୀ, ଇପ୍ସିତା ସାହୁ, ମହିକ୍ଷିତା ମିଶ୍ର, ମଧୁସ୍ମିତା ନାୟକ, ଲୋରା ମହାପାତ୍ର, ଅପୂର୍ବା ଅପରୂପା ଓ ସୋଫିଆ ଆଲାମ ପ୍ରମୁଖ ଯୋଗ ଦେଇଥିଲେ ।