spot_img

Latest Posts

ସରିଲା ବିଜେଡି ବିଧାୟକ ଦଳ ବୈଠକ: ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଶାସନ ବ୍ୟବସ୍ଥାକୁ ପ୍ରସଙ୍ଗ କରିବ ବିଜେଡି

ସରିଲା ବିଜେଡି ବିଧାୟକ ଦଳ ବୈଠକ: ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଶାସନ ବ୍ୟବସ୍ଥାକୁ ପ୍ରସଙ୍ଗ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏତିରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ ଦଳ ବିଜେଡି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ହୋଇଯାଇଛି । ରାଜ୍ୟରେ ଭୁଶୁଡ଼ଇ ପଡ଼ିଥିବା ଶାସନ ବ୍ୟବସ୍ଥାକୁ ଦଳ ଗୃହରେ ପ୍ରସଙ୍ଗ କରି ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିବାକୁ ଆଲୋଚନା ହୋଇଛି । ବୈଠକରେ ଦଳର ସମସ୍ତ ବିଧାୟକ ଯୋଗ ଦେଇଥିଲେ ।

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳର ମୁଖ୍ୟ ସଚତକ ପ୍ରମିଳା ମଲ୍ଲିକ ଏବଂ ନୟାଗଡ଼ ବିଧାୟକ ଅରୁଣ ସାହୁ । ଦଳ ପକ୍ଷରୁ କୁହାଯାଇଛି, ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି । ଦଳ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ରାଜ୍ୟରେ ଚାକିରି ସୃଷ୍ଟି ହେଉନାହିଁ । ବିଜେଡି ସରକାର ଅମଳରେ ଯେଉଁ ନିଯୁକ୍ତି ହୋଇଥିଲା ସେତିକି ହିଁ ରହିଛି । ଚାକିରି ବିକ୍ରି ଏକ ଧାରା ପାଲଟିଛି । ବାଲି ଓ ପଥର ମାଫିଆମାନେ ଆତଙ୍କରାଜ ଚଳାଇଛନ୍ତି । ରାଜ୍ୟରେ ଏତେ ଅଶାନ୍ତି କେବେ ଦେଖା ଦେଇ ନଥିଲା । ମହିଳା ସଶକ୍ତିକରଣ ବାଟବଣା ହୋଇଛି । ରାଜ୍ୟରେ ଚାଲିଥିବା ମାଳ ମାଳ ପ୍ରସଙ୍ଗକୁ ବିଜେଡି ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ କରିବ ବୋଲି ଦଳ କହିଛି ।

କଂଗ୍ରେସ ବିଧାୟକ ଦଳ ବୈଠକ

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୭ ଜଣ ବିଧାୟକ ଯୋଗ ଦେଇଥିଲେ । ବୈଠକରେ ଭୋଟ ଚୋରି, ବେକାରୀ ସମସ୍ୟା, ଆଇନଶୃଙ୍ଖଳା, ଦାଦନ, ଧାନମଣ୍ଡି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହାସହ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଧିବେଶନରେ ଉତ୍ଥାପନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ବିଜେପି ବିଧାୟକ ଦଳ ବୈଠକ

ସେହିପରି ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀ ଯୋଗ ଦେଇଛନ୍ତି । ଶୀତ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତିଙ୍କ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ଏହାକୁ କିପରି ସୂଚାରୁ ରୂପେ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ସେହିଭଳି ଅତିରିକ୍ତ ବଜେଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି । ସର୍ବୋପରି ବିରୋଧୀ ଦଳର ଅକ୍ରମଣକୁ ପ୍ରତିହତ ପାଇଁ ଶାସକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ।

Latest Posts

Don't Miss