ଟିଟିଲାଗଡ଼ରେ ଦୁର୍ନୀତି ବଢ଼ିବା ପଛରେ ବିଜେପି ବିଧାୟକ: ଟୁକୁନି ସାହୁ

ଟିଟିଲାଗଡ଼: ଦୁର୍ନୀତିରେ ଉବୁଟୁବୁ ହେବାରେ ଲାଗିଛି ଟିଟିଲାଗଡ଼ ବିଧାନସଭା କ୍ଷେତ୍ର । ଏଠାରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । ସରକାରୀ କଳ ବିଜେପି ବିଧାୟକଙକ ହାତବାରିସି ସାଜିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେଡି ଜିଲ୍ଲା ସଭାପତି ଟୁକୁନି ସାହୁ ।
ସେ କହିଛନ୍ତି, ଟିଟିଲାଗଡ଼ ଉନ୍ନତି ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନେକ ଯୋଜନାର ଶୁଭାରମ୍ଭ କରିଥିଲେ । ଟିଟିଲାଗଡ଼ରେ ମିଶନ ଶକ୍ତି ହାଟ, ମିଶନ ଶକ୍ତି କାଫେ ଭଳି ଅନେକ ଯୋଜନା କରିଥିଲେ ପୂର୍ବ ସରକାର । ହେଲେ ଏହି ସମସ୍ତ ଦୋକାନ ଓ କାଫେ ଦେବାକୁ ସ୍ଥାନୀୟ ବିଧାୟକ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି । ବିଧାୟକଙ୍କ ଇସାରାରେ ବ୍ଲକ କାର୍ଯ୍ୟାଳୟ ତରଫରୁ ଦୋକାନ ନେଉଥିବା ଲୋକଙ୍କ ପାଖରୁ ୧୦ ପ୍ରତିଶତ ପିସି ମାଗୁଥିବା ସେ ଅଭିଯୋଗ କରିଛନ୍ତି ।
ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରେସମିଟରେ ଜିଲ୍ଲା ସଭାପତି ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ବିଧାୟକ ନବୀନ ଜୈନକୁ ଖୋଲା ଚେଲେଞ୍ଜ କରିଛନ୍ତି । ବିଧାୟକ ଅନେକ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ନେଉଥିବା ଓ ବିକାଶ ଉପରେ ଗୁରୁତ୍ଵ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି ।
ସେହିପରି ବିଧାୟକଙ୍କ ସମର୍ଥକମାନେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆବେଦନ ଉପରେ ମତ ରଖିଛନ୍ତି ଟୁକୁନି ସାହୁ । ଟିଟିଲାଗଡ଼ ସମିତିରେ ବିଜେଡିର ବହୁ ମତ ରହିଛି । ବିଜେଡି ଅଧ୍ୟକ୍ଷା ହୋଇଥିବାରୁ ଓ ଦୁର୍ନୀତିକୁ ବିରୋଧ କରୁଥିବାରୁ ତାଙ୍କୁ ହଟାଇବା ପାଇଁ ନବୀନ ଜୈନଙ୍କ ଏହା ଏକ ଚାଲ । ଆଗାମୀ ଦିନରେ ଦଳ ଏହାର ଘୋର ବିରୋଧ କରିବ ବୋଲି ସେ କହିଛନ୍ତି ।