ତୈଳଦର ବୃଦ୍ଧି ପ୍ରସଙ୍ଗ, ବର୍ଦ୍ଧିତ ସେସ୍ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ସଞ୍ଜୟ ଦାସବର୍ମାଙ୍କ ଦାବି
1 min read
ଭୁବନେଶ୍ୱର: ଗତ ୬ ବର୍ଷ ଭିତରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଦର ହୁ ହୁ ହୋଇ ବଢ଼ିଚାଲିଛି । କୋଭିଡ୍ ମହାମାରୀ ପରେ ଗରିବ, ମଧ୍ୟବିତ୍ତ ଶ୍ରେଣୀ ଲୋକ ଦରବୃଦ୍ଧି ଯୋଗୁ ବେଶୀ ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ୍, ଡିଜେଲ୍ ଓ ପେଟ୍ରୋଲିୟମ୍ ଉତ୍ପାଦ ଉପରେ ନୂତନ ସେସ୍ ଲାଗୁ ଯୋଗୁ ଦରଦାମ୍ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ଗତ ୧ ତାରିଖରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ଭିତ୍ତିଭୂମି ଉନ୍ନୟନ ପାଇଁ ନୂତନ ସେସ୍ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲାଗୁ କରାଯିବ ବୋଲି ଘୋଷଣା କରିବା ସମୟରେ ଦେଶବାସୀଙ୍କୁ ଆଶ୍ୱସ୍ତ କରିଥିଲେ କି, ଡିଜେଲ୍ ଏବଂ ପେଟ୍ରୋଲ୍ ଉପରେ ନୂତନ ସେସ୍ ଲାଗୁ କରାଯାଉଥିଲେ ହେଁ ସାଧାରଣ ଉପଭୋକ୍ତାଙ୍କ ଉପରେ ଏହାର ବୋଝ ପଡ଼ିବନି କିମ୍ବା ତୈଳଦର ବୃଦ୍ଧି ଘଟିବନି ।
\କିନ୍ତୁ ଦୁର୍ଭାଗ୍ୟର କଥା, କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ୭ ଥର ଡିଜେଲ ଓ ପେଟ୍ରୋଲ୍ ଦର ବୃଦ୍ଧି ଘଟିଲାଣି । ଏହି ସର୍ବକାଳୀନ ବୃଦ୍ଧି ଯୋଗୁ ପେଟ୍ରୋଲ୍ ଓଡ଼ିଶାରେ ୯୩ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ୍ ୯ଠ ଟଙ୍କା ଛୁଇଁଛି । ଗତ ୪୪ ଦିନ ଭିତରେ ଡିଜେଲ୍, ପେଟ୍ରୋଲ୍ ମୂଲ୍ୟ ୧୭ ବଢ଼ିଛି । ମାଲ୍ ପରିବହନ ସହିତ ପ୍ରତ୍ୟେକ କ୍ଷେତ୍ରକୁ ଏହି ଦରବୃଦ୍ଧି ପ୍ରଭାବିତ କରିଛି । ଏହି ବର୍ଦ୍ଧିତ ସେସରୁ ରାଜ୍ୟମାନଙ୍କୁ କିଛି ରାଜସ୍ୱ ମିଳେନାହିଁ । ଜରୁରୀ କିମ୍ବା ଅସାଧାରଣ ପରିସ୍ଥିତିରେ ସେସ୍ ବୃଦ୍ଧିର ଆବଶ୍ୟକତା ପଡ଼ିଥାଏ । କିନ୍ତୁ କେନ୍ଦ୍ର ସରକାର ‘ଆମ୍ ଜନତାର ବଜେଟ୍’ ଓ ‘ଦରଦାମ୍ ନିୟନ୍ତ୍ରଣ କରିବୁ’ କହି ଜନସାଧାରଣଙ୍କ ବିଶ୍ୱାସ ହାସଲ କରିଥିବାବେଳେ ଏପରି ଦରବୃଦ୍ଧି ଦ୍ୱାରା ମେହନତି ମଣିଷ, ଚାଷୀକୂଳ, ଯୁବକ-ଛାତ୍ର, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତବର୍ଗ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି ବୋଲି ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ଦେଶରେ କେଉଁ ଜରୁରୀ ପରିସ୍ଥିତି ସୃଷ୍ଟି ହେଲା- ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀ ଏହି ବର୍ଦ୍ଧିତ ସେସ୍କୁ ଗରିବ ଜନସାଧାରଣଙ୍କ ଉପରେ ଲଦିଦେଲେ ତାହା ଜଣାଇବାକୁ ଦାସବର୍ମା ଦାବି କରିଛନ୍ତି । ୨ଠ୧୫ ମସିହାରେ ବିଶ୍ୱ ବଜାରରେ ଅଶୋଧିତ ତୈଳଦରରେ ବୃଦ୍ଧି ଘଟିଥିଲେ ମଧ୍ୟ ଡିଜେଲ୍ ଓ ପେଟ୍ରୋଲ୍ ମୂଲ୍ୟ ୬୫ ଟଙ୍କା ଭିତରେ ଉପଲବ୍ଧ ହେଉଥିଲା । ହେଲେ ୨ଠ୨୧ରେ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ମୂଲ୍ୟ ବ୍ୟାରେଲ୍ ପିଛା ୬୧ ଡଲାର ଥିବାବେଳେ ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦର ସର୍ବକାଳୀନ ବୃଦ୍ଧି ଘଟି ଯଥାକ୍ରମେ ୯୩ ଓ ୯ଠ ଟଙ୍କାରେ ପହଞ୍ଚିଛି । କେନ୍ଦ୍ରର ଏଭଳି ଜନବିରୋଧୀ ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏହି ବର୍ଦ୍ଧିତ ସେସ୍କୁ ପ୍ରତ୍ୟାହାର କରିବା ପାଇଁ ଦାସବର୍ମା ଦାବି କରିଛନ୍ତି । ସେହିପରି ରନ୍ଧନ ଗ୍ୟାସ୍ର ମୂଲ୍ୟ ବୃଦ୍ଧି ଆଜି ସବୁସୀମାକୁ ଟପି ୭୪୫ ଟଙ୍କାରେ ପହଞ୍ଚିଛି । ରନ୍ଧନ ଗ୍ୟାସ୍ ଦର ବଢ଼ାଇ କେନ୍ଦ୍ର ସରକାର ମାଆମାନଙ୍କ ହାଣ୍ଡିଶାଳ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଦାସବର୍ମା କହିଛନ୍ତି ।