ବୈଜୟନ୍ତଙ୍କ କଳାକାରନାମାକୁ ପ୍ରଣବ ପ୍ରକାଶଙ୍କ ସମାଲୋଚନା, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଶିଥିଳତା ନେଇ ଉଠାଇଲେ ପ୍ରଶ୍ନ

1 min read

ଭୁବନେଶ୍ୱର : ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ଜଗିମଙ୍ଗତ ପଣ୍ଡା ମନି ଲଣ୍ଡ୍ରିଂରେ ସଂପୃକ୍ତ ଥିବା ୮ ଫେବୃୟାରୀ, ୨୦୧୯ରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ବୈଜୟନ୍ତଙ୍କ ଏହି କଳାକାରନାମାର ଚେର ବାହାମାସ ପର୍ଯ୍ୟନ୍ତ ଲମ୍ବିଛି । ଏନେଇ ଥିବା ବିଭିନ୍ନ ତଥ୍ୟ ପ୍ରମାଣ ଲୋକଲୋଚନକୁ ଆସିବାରେ ଲାଗିଛି । ଚଳିତବର୍ଷ ଫେବୃୟାରୀ ୨୦ରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ସ୍ୱିପ୍ଟ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ତଥା ମଲ୍ଟି ଏଜେନ୍ସି ଗ୍ରୁପ(ମ୍ୟାଗ୍)-ସିବିଆଇ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଏବଂ ଆୟକର ବିଭାଗ(ଆଇଟି) ଏଥିରେ ଶିଥୀଳତା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ପାଥ୍  ନାମକ ଏକ ସାମାଜିକ ସଂସ୍ଥା ପ୍ରଶ୍ନ ଉଠାଇଛି ।

ବୈଜୟନ୍ତଙ୍କ ଏପରି ସଂପୃକ୍ତି ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ(ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟୁଇଟ୍ କରି ବୈଜୟନ୍ତଙ୍କ କଳା କାରନାମା  ସମ୍ପର୍କରେ ପ୍ରକାଶ ପାଇଥିବା ଖବରକୁ ଟୁଇଟ୍ କରି କଡ଼ା ସମାଲୋଚନା କରିଛନ୍ତି । ଟୁଇଟ୍ କରି ପ୍ରଣବ କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟ ବୈଜୟନ୍ତ ବିରୋଧରେ ଆସିଥିବା ସାଘାଂତିକ ଅଭିଯୋଗର ତଦନ୍ତ ପାଇଁ ଗତ ଫେବୃୟାରୀ ୭ରୁ ନିର୍ଦ୍ଦେଶ ଦେଲେଣି । ହେଲେ ସିବିଆଇ,ଇଡି,ଆଇଟି ଭଳି ମ୍ୟାଗ ସଂସ୍ଥାର ତଦନ୍ତର ଗତି ତ୍ୱରାନ୍ୱିତ ହେଉ ନାହିଁ । ଯେବେଠାରୁ ବୈଜୟନ୍ତ ଭାଜପା ରାଷ୍ଟ୍ରୀୟ ଉପସଭାପତି ପଦରେ ଆସୀନ ହେଲେଣି । ସେବେଠାରୁ ଏପରି ହେଉଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ବୈଜୟନ୍ତଙ୍କୁ ଦଳ ସୁରକ୍ଷା ଦେଉଛି କି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ସେହିପରି ୨୫ ଜାନୁୟାରୀ ୨୦୧୯ରେ ଓଟିଭି ପକ୍ଷରୁ ସୁରଙ୍ଗୀ ସର୍ଭିସ ଲିଃ(ଏସଏସଏଲ)ଠାରୁ ୧୦ କୋଟି ଟଙ୍କାରେ ଗେଷ୍ଟ ହାଉସ କିଣିଥିବା ଜଣାପଡିଛି । ଏହି ଏସଏସଏଲ କମ୍ପାନୀ ବାହାମାସରେ ଅବସ୍ଥାପିତ ୨ଟି ସେଲ କମ୍ପାନୀ ମାଲିକାନାରେ ରହିଛି । ସେହିପରି ଏହି ଏସଏସଏଲ କମ୍ପାନୀ ବୈଜୟନ୍ତଙ୍କ ସହ ସଂପୃକ୍ତି ଥିବା ଓରଟେଲରେ ପୁଞ୍ଜିନିବେଶ କରିଥିବା ପ୍ରଣବ ଟୁଇଟ୍ କରି ଉଲ୍ଲେଖ କରିଛନ୍ତି । ଏହି ସବୁ କାର୍ଯ୍ୟ ଜୟ ପଣ୍ଡାଙ୍କ ମୁଖା ଖୋଲି ଦେଇଛି । ତେଣୁ ବୈଜୟନ୍ତ ଓଡ଼ିଶାବାସୀଙ୍କ ସମ୍ମୁଖରେ ଉତ୍ତର ଦେବାର ସମୟ ଆସିଛି ବୋଲି ପ୍ରଣବ ଟୁଇଟ୍ କରିଛନ୍ତି ।

ବିଜେଡି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର ମଧ୍ୟ ଟୁଇଟ୍ କରି ବୈଜୟନ୍ତ ପଣ୍ଡାଙ୍କ କଳା କାରନାମାକୁ ସମାଲୋଚନା କରିଛନ୍ତି । ସସ୍ମିତ କହିଛନ୍ତି ଯେ, ଫିନଲେ, ମେସିନା ଏବଂ ପିକ୍କିଆ  ନାମକ ୩ କମ୍ପାନୀ ବୈଜୟନ୍ତଙ୍କ କମ୍ପାନୀରେ ନିବେଶ କରିବା ପରେ କିପରି ଉଭାନ ହୋଇଗଲେ । ସେହି ୨ ନିବେଶକାରୀ କିଏ କି, ଯାହାଙ୍କୁ ଠାବ କରିବା କଷ୍ଟକର ହୋଇ ପଡୁଛି । କ’ଣ ପାଇଁ ଦିଲ୍ଲୀର ତଦନ୍ତକାରୀ ସଂସ୍ଥାଗୁଡିକ ଚୁପ୍ ବସିଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବାହାମାସ ଲିକ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ବେନାମୀ ସଂସ୍ଥାଠାରୁ ଓରଟେଲ୍ କମ୍ୟୁନିକେସନ୍ କୋଟି କୋଟି ଟଙ୍କା ବିନିଯୋଗ ଗ୍ରହଣ କରିଛି । ଏହି ଘଟଣା ନେଇ ଦିଲ୍ଲୀ ହାଇକୋର୍ଟରେ ୨୦୧୯ ଜାନୁଆରୀ ମାସ ୨୪ ତାରିଖରେ ମାମଲା ଦାଏର ହୋଇଥିଲା । ଗତ ଫେବ୍ରୁଆରୀରେ ଦିଲ୍ଲୀ ହାଇକୋର୍ଟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଇଡି, ସିବିଡିଟି ଓ ଆୟକର ବିଭାଗକୁ ତଦନ୍ତ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ତଦନ୍ତରେ ପ୍ରଚଣ୍ଡ ଶିଥିଳତା ଦେଖିବାକୁ ମିଳିଛି । ଏହାପରେ ସାମାଜିକ କର୍ମୀ ଓ ଆଇନଜୀବୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସିବିଆଇର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇପାରିନାହିଁ ବୋଲି ଅଭିଯୋଗ କରିଛି ପାଥ୍ । ୨୦୧୯ ଜାନୁଆରୀ ମାସ ୨୪ ତାରିଖରେ ମାମଲା ଦାଏର ହୋଇଥିବା ବେଳେ ମାର୍ଚ୍ଚ ମାସରେ ବିଜେପିରେ ସାମିଲ ହୋଇଥିଲେ ବୈଜୟନ୍ତ ପଣ୍ଡା । ଏଥିପାଇଁ ତଦନ୍ତ ଅଗ୍ରଗତି କରୁନଥିବା ଅଭିଯୋଗ ହୋଇଛି । ମେସିନା, ପିକିକା ଓ ଫିନ୍‌ଲେ ନାମକ ତିନିଟି ଜାଲି କମ୍ପାନୀରୁ ଓରଟେଲ୍ କମ୍ୟୁନିକେସନ୍‌କୁ କୋଟି କୋଟି ଟଙ୍କାର ନିବେଶ ଆସିଥିବା ଅଭିଯୋଗ ହୋଇଥିଲା । ଏହି କମ୍ପାନୀଗୁଡିକର କିଏ ମାଲିକ, ତାହା ଅସ୍ପଷ୍ଟ ରହିଛି । ସେହିଭଳି ଏହି ତିନିଟି ଯାକ କମ୍ପାନୀର କାର୍ଯ୍ୟାଳୟ ଠିକଣା ଗୋଟେ ରହିଛି । ତେଣୁ ଏହି କମ୍ପାନୀର ବୈଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୈଜୟନ୍ତ ପତ୍ନୀ ଜଗିମଙ୍ଗତ ପଣ୍ଡା ମଧ୍ୟ ଏହି ସବୁ କାରବାରରେ ସଂପୃକ୍ତ ରହିଛନ୍ତି । ତେଣୁ ପଣ୍ଡା ଦମ୍ପତି ଏବେ ହରଡ଼ଘଣାରେ ପଡିଯାଇଛନ୍ତି ।

ଓରଟେଲ୍ କମ୍ୟୁନିକେସନ୍‌କୁ ଏଠାରୁ କୋଟି କୋଟି ଟଙ୍କା ଆସିବା ପରେ ଓରଟେଲ୍‌ର ତିନିଟି ସଂସ୍ଥା, ଓରଟେଲ୍ କମ୍ୟୁନିକେସନ୍, ଓରଟେଲ୍ ବ୍ରଡବ୍ୟାଣ୍ଡ ଓ ଓରଟେଲ୍‌ କେବୁଲ୍ ଟିଭିକୁ ଏହି ପଇସା ଯାଇଥିବା ଜଣାପଡିଛି । ସେହିଭଳି ପଣ୍ଡା ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍, ମେଟ୍ରୋ ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଭଳି ୩ଟି ସଂସ୍ଥାରେ ଫିନ୍‌ଲେ, ପିକିକା ଓ ମସିନା ପୁଞ୍ଜିନିବେଶ କରିଥିବା କୁହାଯାଉଛି । ଏହି ତିନିଟି ଯାକ କମ୍ପାନୀର ମାଲିକାନା ବୈଜୟନ୍ତ ଓ ଜାଗିଙ୍କ ପାଖରେ ରହିଥିବା ଅଭିଯୋଗ ହୋଇଛି । ଏସମସ୍ତ ଘଟଣାର ପ୍ରକୃତ ତଦନ୍ତ ହେଲେ, କଳାଧନର ଏକ ବଡ଼ କେଳେଙ୍କାରୀ ପଦାକୁ ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପାଥ୍ ପକ୍ଷରୁ କୁହାଯାଇଛି । ବାହାମାସ ଲିକ୍‌ରେ ୩ଶହ କମ୍ପାନୀ ପଂଜୀକୃତ ହୋଇଥିଲେ ମଧ୍ୟ ଅନେକ କମ୍ପାନୀ ସଂପର୍କରେ କୌଣସି ତଥ୍ୟ ନାହିଁ ।

Leave a Reply