ଆଜି ହେଉଛି ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ବିର୍ମାମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେଡି ନେତା

ଭୁବନେଶ୍ଵର: ମହାନ ବିପ୍ଳବୀ ସହିଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ। ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ବୟ ପରିଷଦ ପକ୍ଷରୁ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଜେଡି ପକ୍ଷରୁ ଭୁବନେଶ୍ଵର ମୈତ୍ରୀ ବିହାରରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଜେଡି ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ସ୍ତମ୍ଭକାର ପ୍ରିୟବ୍ରତ ମାଝି ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମନ୍ମଥ ରାଉତରାୟ, ପ୍ରିୟବ୍ରତ ମାଝି ଓ ସୁଲୋଚନାଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀ ଆଦିବାସୀ ସଂପ୍ରଦାୟ ମହିଳାଙ୍କ ସହ ଆଦିବାସୀ ନୃତ୍ୟ କରିଥିଲେ। ନଭେମ୍ବର ୧୫ ତାରିଖ ବିର୍ସାମୁଣ୍ଡାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି।

ବିର୍ସାମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ଆଦିବାସୀଙ୍କୁ ଏକାଠି କରି ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ।