ହାତରେ କୋଡ଼ି, ମୁଣ୍ଡରେ ଠେକା ଭିଡ଼ି କାମ କଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ହାତରେ କୋଡ଼ି ଧରି ମୁଣ୍ଡରେ ଠେକା ଭିଡ଼ି କାମ କଲେ ବିଜେଡି କର୍ମୀ । ବିଜୁ ଜନତା ଦଳର ନିର୍ମାଣାଧୀନ ନୂତନ କାର୍ଯ୍ୟାଳୟରେ ଶ୍ରମଦାନ କଲେ ବିଜୁ ଛାତ୍ର ଓ ଯୁବ ସଂଗଠନର ସଦସ୍ୟ ସଦସ୍ୟା । କିଏ ମାଟି ଖୋଳିଛି ତ କିଏ ଚିପସ୍ ବୋଝେଇ କରିଛି । ପାଚେରୀ ନିର୍ମାଣ ପାଇଁ ଇଟା ବଢାଇବା ସହ ବାଲି ସିମେଣ୍ଟ ଗୋଳାଇ ଶ୍ରମିକଙ୍କୁ ସହଯୋଗର ହାତ ବଢାଇଥିଲେ ସମସ୍ତ କର୍ମୀ । ଦଳର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣରେ ଦିନଟିଏ ଶ୍ରମଦାନ କରିଛନ୍ତି ସମସ୍ତେ । ମୋ ଦଳର କାର୍ଯ୍ୟାଳୟ ପାଇଁ ମୁଁ ବି ନିଜର ଝାଳ ବୁହାଇଛି । ଏହି ଲକ୍ଷ୍ୟ ରଖି ସମସ୍ତ କର୍ମୀ ନିଜର ଶ୍ରମଦାନ କରିଛନ୍ତି ।

ରାଜ୍ୟର ସବୁ ଜିଲ୍ଲାରୁ ଭୁବନେଶ୍ବରକୁ ଆସିଛନ୍ତି ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଓ କର୍ମୀ । ସମସ୍ତଙ୍କୁ ଏହି କାର୍ଯ୍ୟରେ ଉତ୍ସାହିତ କରିବାକୁ ସାମିଲ ହୋଇଥିଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତାଙ୍କ ସହିତ ସାମିଲ ହୋଇଥିଲେ ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଓ ଅନ୍ୟ ନେତୃବୃନ୍ଦ ।