ମହିଳା ସଶକ୍ତିକରଣ ଦିଗରେ ବିଜେଡି ଆଉ ପାଦେ ଆଗରେ, ଛପାହେଲା ମହିଳା କ୍ୟାଲେଣ୍ଡର

ଭୁବନେଶ୍ୱର: ଯୁବ ଛାତ୍ର ଓ ମହିଳାଙ୍କୁ ନଜରରେ ରଖି ବିଜେଡିର କାର୍ଯ୍ୟକ୍ରମ । ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇ ଆସିଥିବା ବିଜେଡି ଏବେ ଦୁଇପାଦ ଆଗକୁ ବଢି ପ୍ରସ୍ତୁତ କରିଛି ମହିଳା କ୍ୟାଲେଣ୍ଡର । ଏହାର ନାଁ ରଖାଯାଇଛି ଡିଜିଟାଲ ଓମେନ ସ୍କିମ କ୍ୟାଲେଣ୍ଡର ୨୦୨୧ । ଏଥିରେ ଟ୍ୟାଗ ଲାଇନ ରହିଛି ମା’କୁ ସମ୍ମାନ, ବିଜୁ ଜନତା ଦଳର ସ୍ୱାଭିମାନ । ବିଜେଡି ପ୍ରଥମ ଥର ପାଇଁ ଦଲୀୟ କ୍ୟାଲେଣ୍ଡରରେ ମହିଳାଙ୍କୁ ସ୍ଥାନ ଦେଇ ସୋସିଆଲ ମିଡିଆରେ ଏହାକୁ ଲଞ୍ଚ କରିଛି ।

ବିଜେଡିର ମହିଳା ସଶକ୍ତିକରଣ ଅଭିଯାନ । ସବୁବେଳେ ମହିଳାଙ୍କୁ ପ୍ରଧାନ୍ୟ ଦେଉଥିବା ବିଜେଡି ମହିଳା ଭୋଟକୁ ନିଜ ହାତରେ ସୁରକ୍ଷିତ ରଖିବା ପାଇଁ ପ୍ରଚାରର ଭିନ୍ନ ତରିକା ଆପଣାଇଛି । ଏଥିପାଇଁ ଦଳ ପ୍ରସ୍ତୁତ କରିଛି ଏହି ସ୍ୱତନ୍ତ୍ର ଡିଜିଟାଲ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରର ପ୍ରତିଟି ପୃଷ୍ଠା ଉପରେ ମହିଳାଙ୍କ ଫଟୋ ଥିବା ବେଳେ ତଳେ ରହିଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ।

ପ୍ରତିଟି ପୃଷ୍ଠାରେ ମହିଳାଙ୍କ ପାଇଁ ଥିବା ସରକାରୀ ଯୋଜନା ସବୁ ଉଲ୍ଲେଖ ରହିଛି । କ୍ୟାଲେଣ୍ଡରର ୧୨ ମାସ ଅନୁସାରେ ୧୨ଟି ପ୍ରମୁଖ ଯୋଜନା ସ୍ଥାନ ପାଇଛି । ତେବେ ବିଜେଡିର କାହିଁକି ଏ ମହିଳା କ୍ୟାଲେଣ୍ଡର ? କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଛନ୍ତି ଯେ, ମହିଳାଙ୍କ ବିକାଶ ବିନା ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶ ଅସମ୍ଭବ । ଏପରିକି ବିଜେଡି ସାଂଗଠନିକ କ୍ଷେତ୍ରରେ ମହିଳାଙ୍କୁ ପ୍ରାଧାନ୍ୟ ଦେବା ସହ ୮ଜଣ ମହିଳାଙ୍କୁ ସଂସଦକୁ ପଠାଇଛି । ଦଳ ଆଗକୁ ପଂଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କୁ ରାଜନୈତିକ ନୈତୃତ୍ବ ଦେବାରେ ଅଗ୍ରାଧିକାର ଦେବ ।

ସେପଟେ ମହିଳା ସଶକ୍ତିକରଣ ନେଇ ବିଜେଡିର ଲମ୍ବା ବ୍ଲୁ ପ୍ରିଣ୍ଟ ପରେ ବିରୋଧୀ ମହିଳାଙ୍କୁ ନେଇ ସୁନେଲି ସ୍ୱପ୍ନ ଦେଖାଇବା ଆରମ୍ଭ କରିଛନ୍ତି । କଂଗ୍ରେସ କହିଛି ଯେ, ଲୋକସଭା ଆସନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ କରାଯିବ । କଂଗ୍ରେସ ସବୁ କ୍ଷେତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦେଇଛି ଓ ଦେବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

Leave a Reply