ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଭାସୀ ମାଧ୍ୟମରେ କ୍ରାନ୍ତିଦିବସ ପାଳିତ

ନନ୍ଦିଘାେଷ ବ୍ୟୁରୋ: ଆଜି କ୍ରାନ୍ତି ଦିବସ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଭାସୀ ମାଧ୍ୟମରେ କ୍ରାନ୍ତି ଦିବସ ପାଳନ କରାଯାଇଛି । ବିଧାୟକ ଡ. ବ୍ୟୋମକେଶ ରାୟ ଓ ବିଧାୟକ ଦେବୀ ରଂଜନ ତି୍ରପାଠୀଙ୍କ ନେତୃତ୍ୱରେ ଏହି ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ଉପସଭାପତି ସଂଜୟ କୁମାର ଦାସବର୍ମା ଓ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେବା ସହିତ ବହୁ ଯୁବ ଓ ଛାତ୍ର ନେତାମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ଶ୍ରୀ ଦାସବର୍ମା, ଦେଶରୁ ଇଂରେଜମାନଙ୍କୁ ହଟାଇ ସ୍ୱାଧୀନତା ଆଣିଥିବା ମହାପୁରୁଷମାନଙ୍କ ସ୍ମୃତିଚାରଣ କରିଥିଲେ । ସେମାନଙ୍କ ବୀରତ୍ୱ ତଥା ବଳିଷ୍ଠ ତ୍ୟାଗ ଯୋଗୁ ଦେଶ ସ୍ୱାଧୀନତା ହାସଲ କରିଥିଲା । ପୂର୍ବପୁରୁଷ ମାନଙ୍କୁ ସମ୍ମାନ ଜଣାଇ ଆମ ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ୱ । ସେହିପରି ଶ୍ରୀ ଦାସ କହିଥିଲେ, ରାଜ୍ୟରେ ଦିନକୁ ଦିନ ଛାତ୍ରୀ ଓ ନାରୀ ବିରୋଧୀ ହିଂସା ଘଟଣା ଅହେତୁକ ଭାବରେ ବଢିବାରେ ଲାଗିଛି । ଯାହା ଆମ ସମସ୍ତଙ୍କୁ ଚିନ୍ତିତ କରିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ପୋଲିସ ପ୍ରଶାସନ ନିଷ୍କ୍ରିୟତା ଯୋଗୁଁ, ଗୋପାଳପୁର, ବଳଙ୍ଗା, ବାଲେଶ୍ୱର ଓ କେନ୍ଦ୍ରାପଡା ଭଳି ସ୍ଥାନରେ ଆଇନ କାନୁନର ଖୋଲା ଉଲ୍ଲଂଘନ କରି ଅପରାଧୀମାନେ ଅପରାଧ ଘଟାଉଛନ୍ତି । କିନ୍ତୁ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଗୋଟିଏ ସଜାଗ, ଦାୟିତ୍ୱପୂର୍ଣ୍ଣ ତଥା ପ୍ରମୁଖ ବିରୋଧୀ ଦଳ ହିସାବରେ ବିଜେଡି ଆଗାମୀ ଦିନରେ ରାଜ୍ୟ ସରକାରଠାରୁ ଏହାର ଉତ୍ତର ଆଶା କରିବା ସହ ଯେପର୍ଯ୍ୟନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ସୁଧୁରୁନି ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତାମାନେ ଆନେ୍ଦାଳନକୁ ତୀବ୍ରତର କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।

ଅନ୍ୟପଟେ ଡ. ସାହୁ, ଅଗଷ୍ଟ ୧ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଡିଜିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହି ପର୍ଯ୍ୟାୟରେ ହଜାର ହଜାର ଛାତ୍ର ଓ ଯୁବ ନେତା ସ୍ୱତଃପ୍ରଭୂତ ଭାବେ ଯୋଗଦାନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ବହୁ ଦିନ ପରେ ଏଭଳି ଗୋଟିଏ ବିରାଟ ଯୁବ ଓ ଛାତ୍ର ଆନେ୍ଦାଳନ ରାଜ୍ୟରେ ସଫଳ ହୋଇଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ନେତୃତ୍ୱରେ ଅଗଷ୍ଟ ୯ରୁ ୧୪ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ହଜାର ହଜାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଉଦବେଗ ପ୍ରକାଶ କରି ଖୋଲା ଚିଠି ଲେଖିବେ । ରାଜ୍ୟରେ ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏହି ଆନେ୍ଦାଳନକୁ ଅଧିକରୁ ଅଧିକ ଶାଣିତ କରିବ । ଏହି ଆଭାସୀ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଓ ବ୍ଲକ ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।