ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ଶରଣରେ ବିପକ୍ଷ ନେତା

1 min read

ଗଞ୍ଜାମ/ ଭଦ୍ରକ/ ଦେବଗଡ଼ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଜବୁତ ହେଉଛି ବିଜେଡି ।ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର କରାପଲ୍ଲୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଏସ. ଧର୍ମରାଜୁ ରେଡ଼୍ଡି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଏସ. ଧର୍ମରାଜ 2019ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଏସ. ଧର୍ମରାଜୁ ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଧର୍ମରାଜୁ ।  ଏସ. ଧର୍ମରାଜୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆହୁରି ସୁଦୃଢ କରିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ କିଭଳି ବିଜୟ ଲାଭ କରିବେ ସେ ନେଇ ରଣନୀତି ହେବ ବୋଲି କହିଛନ୍ତି ଏସ. ଧର୍ମରାଜୁ ରେଡ୍ଡି।

ଭଦ୍ରକ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତର ବିଜେପି ନେତା ଲକ୍ଷ୍ମୀଧର ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସଂସ୍କୃତି ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ସଞ୍ଜୀବ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ । ବିଜେଡି ଏକ ଶୃଙ୍ଖଳିତ ଦଳ ଓ ଏଠି ସମସ୍ତେ ଜଣେ ଜଣେ କର୍ମୀ ହୋଇ କାମ କରି ଦଳକୁ ଜିତାଇବେ ବୋଲି କହିଥିଲେ ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ । ମିଶ୍ରଣ ପର୍ବରେ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥି ଥିଲେ  ।

ସେହିପରି ଦେବଗଡ଼ ଜିଲ୍ଲାରେ ମଧ୍ୟ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାରକୋଟ ବ୍ଲକ ଅନ୍ତର୍ଗତ ବାହାଡାପୋଷି ଗ୍ରାମରେ ଜୋନ୍ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ମିଶ୍ରଣ ପର୍ବରେ ବାରକୋଟ ବ୍ଲକର ଦୁଇ ଜଣ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୨୨ଟି ପଞ୍ଚାୟତରୁ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରେଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ ।

Leave a Reply