ବିଜେପି ଛାଡ଼ି ବିଜେଡିରେ ମିଶିଲେ ମାଧବ ଧଡ଼ା

ଭୁବନେଶ୍ବର: ବଢ଼ୁଛି ବିଜେଡି ବଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେପି ଛାଡ଼ି ବିଜେଡିରେ ମିଶିଲେ ବାଲେଶ୍ବର ଜିଲ୍ଲାର ଶତାଧିକ କର୍ମୀ । ମଙ୍ଗଳବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ବାଲେଶ୍ବର ଜିଲ୍ଲାର ମାଧବ ଧଡ଼ା । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏବଂ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେପି ଛାଡି ବିଜେଡିରେ ମିଶିଲେ ବାଲେଶ୍ଵର ଜିଲ୍ଲା ସୋର ମୁନିସିପାଲିଟିର ଚେୟାର ମ୍ୟାନ ମାଧବ ଧଡା । ମାଧବଙ୍କ ସମେତ ବାଲେଶ୍ବର ଜିଲ୍ଲା ବିଜେପି ମାଇନରିଟି ନେତା ସେକ୍ ଲିଆକତ୍ ଅଲ୍ଲୀ, ବାଲେଶ୍ବର ବିଜେପି ନେତା ଦିଲ୍ଲୀପ କୁମାର କର, ଜନ୍ମେଜୟ ପଣ୍ଡା ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି । ଭୁବନେଶ୍ୱର ଶଙ୍ଖଭବନ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧାୟକ ପ୍ରତାପ ଜେନା, ପର୍ଶୁରାମ ଧଡା, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ସମସ୍ତ ନେତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ନେତାଙ୍କ ସହ ତାଙ୍କର ଶତାଧିକ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଏ ମିଶ୍ରଣ ବିଜେଡିକୁ ଆଗାମୀ ଦିନରେ ଅଧିକ ସଶକ୍ତ କରିବ ବୋଲି ବିଧାୟକ ପ୍ରତାପ ଜେନା ଓ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ମାଧବ ଧଡା ।