ସମ୍ବଲପୁରରେ ବିଗିଡ଼ିବ ବିଜେପିର ଅଙ୍କ!

ଭୁବନେଶ୍ବର: ଚର୍ଚ୍ଚାରେ ଥିବା ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ମିଛ ବାହାସ୍ଫଟ ମାରୁଥିବା ବିଜେପିକୁ ଉଚିତ ଜବାବ ଦେବେ ଅରୁନ୍ଧତୀ ଦେବୀ । ଅରୁନ୍ଧତୀ ଦେବୀ ହେଉଛନ୍ତି ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ । ଅରୁନ୍ଧତୀ ଆଜି ପଦ୍ମକୁ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି । ତାଙ୍କ ପୂତ୍ର ନମନ ଗଙ୍ଗଦେବ ମଧ୍ୟ ମଙ୍ଗଳବାର ବିଜେଡିରେ ସାମିଲ ହୋଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ସମ୍ବଲପୁର ପର୍ଯ୍ୟବେକ୍ଷକ ଥିବା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ ବିଜେଡିରେ ସାମିଲ ହୋଇଛନ୍ତି । ୨୦୧୯ରେ ସମ୍ବଲପୁର ସାଂସଦଭାବେ ନିର୍ବାଚିତ ହେବାପରେ ନୀତିଶଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା ।

ଯାହାକି ସମ୍ବଲପୁର ରାଜନୈତିକ ମଇଦାନରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦେବଗଡ଼ରୁ ବିଧାୟକ ରହି ସାରିଥିବା ନିତେଶଙ୍କ ସମ୍ବଲପୁର ଏବଂ ଦେବଗଡ଼ରେ ସଂଗଠନ ସୁଦୃଢ଼ ଥିଲା । ଏଣୁ ତାଙ୍କୁ ବିଜେପି ଟିକେଟ ଦେବ ବୋଲି ଆଶା କରାଯାଉଥିଲା । ମାତ୍ର ଦଳ ତାଙ୍କୁ ଏକପ୍ରକାର କୋଣଠେସା ହୋଇ ରହୁଥିଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ନୀତେଶଙ୍କ ପତ୍ନୀ ତଥା ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ ମଙ୍ଗଳବାର ନବୀନ ନିବାସରେ ବିଜେଡିରେ ସାମିଲ ହେବା ବିଜେପିର ଅନ୍ଦର ମହଲ ପାଇଁ ବେଶ ଚିନ୍ତାର କାରଣ ପାଲଟିଛି । ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ବିଜେପିର ଅଙ୍କକୁ ବିଗାଡ଼ି ଦେଇଛନ୍ତି ଅରୁନ୍ଧତୀ ଦେବୀ ।

ନୀତେଶଙ୍କ ସହ ଅରୁନ୍ଧତୀଙ୍କର ମଧ୍ୟ ପଶ୍ଚିମ ଓଡ଼ିଶାରେ ବେଶ ଦବଦବା ରହିଛି । ଲୋକ ସମର୍ଥନ ତାଙ୍କ ପରିବାର ପ୍ରତି ରହିଥିବାବେଳେ ବିଜେପି କିନ୍ତୁ ଏହାକୁ ଗୁରୁତ୍ବ ଦେଇନଥିଲା । ଯାହାକି ଏବେ ବିଜେପି ପାଇଁ ବୁମେରାଂ ହେବ । ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି । ନିଜର ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି ଅରୁନ୍ଧତୀ । ଆଉ ଏବେ ବିଜେଡିରେ ଅରୁନ୍ଧତୀ ସାମିଲ ହେବା ପରେ ଧର୍ମେନ୍ଦ୍ରଙ୍କ ବିରୋଧରେ କରିବେ ପ୍ରଚାର । ଯାହାକି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହେବ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନୀତେଶଙ୍କ ସହ ଅରୁନ୍ଧତୀଙ୍କ ଲୋକସମ୍ପର୍କ ରହିଥିବାବେଳେ ଏହା ବିଜେଡି ପାଇଁ ପ୍ଲସ ପଏଣ୍ଟ ହେବ । ସମ୍ବଲପୁରରୁ ବିଜେଡି ପ୍ରାର୍ଥୀ ହୋଇଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସପକ୍ଷରେ ପ୍ରଚାର କରିବେ ଅରୁନ୍ଧତୀ ।