ଆଜିଠୁ ବିଜେଡିର ଦ୍ବିତୀୟ ପର୍ଯ୍ଯାୟ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ଆଜିଠୁ ବିଜେଡିର ଦ୍ବିତୀୟ ପର୍ଯ୍ଯାୟ ଜନସମ୍ପର୍କ ପଦଯାତ୍ରା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ହେବ । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯିବ । ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ଦଳ। ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ଲୋକଙ୍କୁ ସଚେତନ କରାଯିବ । ଅକ୍ଟୋବର ୨ରୁ ୬ ତାରିଖ ଯାଏଁ ପ୍ରଥମ ପର୍ଯ୍ଯାୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଦଳକୁ ମିଳିଥିଲା ବିପୁଳ ଜନସମର୍ଥନ ।  ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ସହିତ ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବି ଜାରି ରହିବ । ଘରକୁ ଘର ବୁଲି ପଦଯାତ୍ରା ଓ ଅନଲାଇନ ମାଧ୍ୟମରେ ହେଉଛି ସଭ୍ୟ ସଂଗ୍ରହ । ସଭ୍ଯ ସଂଗ୍ରହ ଅଭିଯାନ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୯ ତାରିଖ ଯାଏଁ ଚାଲିବ । ଗତଥର ପରି ଚଳିତଥର ଦଳ ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ଦିନ  ୨୫ ହଜାରରୁ ଅଧିକ ସଭ୍ଯ ବିଜେଡି ସହ ଯୋଡ଼ି ହୋଇଥିଲେ । ଖୁବଶୀଘ୍ର ସଭ୍ୟ ସଂଗ୍ରହ ପାଇଁ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ କର୍ମଶାଳା ଆୟୋଜନ କରାଯିବ ।