ଆଜିଠୁ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ନବୀନ କହିଲେ ଲୋକଙ୍କ ଖୁସି ଆମ ଖୁସି

1 min read

ଭୁବନେଶ୍ବର: ପ୍ରତି ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା । ଜନତାଙ୍କ ପାଖକୁ ଯିବେ ବିଜେଡି ନେତା, ବିଧାୟକ ମନ୍ତ୍ରୀ ଓ ସାଂସଦ । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ବର ବଡ଼ଗଡ଼ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ସାଧାରଣ ଲୋକଙ୍କ ଖୁସି, ଆମର ସବୁଠାରୁ ବଡ଼ ଖୁସି । ବିଜେଡି ଗରିବ ଲୋକ, ମହିଳା, ଯୁବବର୍ଗ ଓ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଛି ।

ମାଆମାନଙ୍କୁ ସଶକ୍ତ କରିବା ପାଇଁ କାମ କରୁଛି ବିଜେଡି । ସେହିପରି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବାକୁ ଆଇନ ଆସିଛି । ବିଜେଡିର ପ୍ରୟାସ ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କ ଆତ୍ମବିଶ୍ବାସ ହୋଇଛି । ରୂପାନ୍ତର ଓଡ଼ିଶା ପାଇଁ ଶକ୍ତି ଦେଇଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବରଦାନ ସାଜିଛି BSKY । ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର ହୋଇଛି । ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସାରା ଦେଶ ପାଇଁ ରୋଲ ମଡେଲ ସାଜିଛି ଓଡ଼ିଶା । ନିଯୁକ୍ତିର ନୂଆ ସୁଯୋଗ ଆସିଛି ।

ହେଲେ ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବାରେ ସେମାନେ ଖୁସି ହୁଅନ୍ତି । ନିର୍ବାଚନ ଆସିଲେ ବିରୋଧୀ ସବୁବେଳେ ଏମିତି କାମ କରିଥାନ୍ତି ବୋଲି ନବୀନ କହିଛନ୍ତି । ତେଣୁ ଜନତା ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକ ଠିକ ବୁଝିଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ କାମ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବିରୋଧୀ । ଲୋକ ସେମାନଙ୍କୁ କ୍ଷମା ଦେବେନି ।

ସେହପରି ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଓ ଘରେ ଘରେ ଶଙ୍ଖ ପାଇଁ କାମ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ । ଜନସମ୍ପର୍କ ପଦଯାତ୍ରାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ ଓ କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ବିକାଶ ଏକ ନିରନ୍ତର ପ୍ରକ୍ରିୟା । ବିଜେଡି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛି । ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଏହାସହ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆଜିଠାରୁ ଜୟପ୍ରକାଶ ଜୟନ୍ତୀ ଯାଏଁ ରାଜ୍ୟବ୍ୟାପୀ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଚାଲିବ ।