ସାଙ୍ଗଠିନକ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ତୃଣମୂଳ ସ୍ତରରେ ସଶକ୍ତ ହେଉଛି ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ସହ ଅଛି ବିଜେଡି । ସାଂଗଠନିକ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଦଳ ତୃଣମୂଳସ୍ତରରେ ହେବାରେ ଲାଗିଛି ସଶକ୍ତ । ରାଜ୍ୟସ୍ତରୀୟ କମିଟି ଗଠନ ପରେ ବାକିଥିବା ଜିଲ୍ଲା ସଭାପତି ଚୟନ ପର୍ଯ୍ୟାୟ କ୍ରମେ ଘୋଷଣା କରିଚାଲିଛି ଦଳ । ଦଳର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ କରି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ଶାସକ ଦଳ ଲୋକଙ୍କ ସମସ୍ୟା ଦୂର କରିବାରେ ବିଫଳ ହୋଇଥିବାରୁ ବିଜେଡି ଲୋକଙ୍କ ଆସ୍ଥା ଓ ବିଶ୍ବାସ ପୁଣି ଜିତିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ କହିଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ପୁଣି ପଞ୍ଚାୟତରେ ଏକପାଖିଆ ପ୍ରଦର୍ଶନ କରିବାକୁ କସରତ ଆରମ୍ଭ କରିଛି । ଯାହାକୁ ନେଇ ବିଜେଡି ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି ।
ନବୀନଙ୍କ ଫୋକସରେ ସଂଗଠନ । ଆଉ ୪ ଜିଲ୍ଲା ସଭାପତି ନାଁ ଘୋଷଣା କରିଛନ୍ତି । ପୁରୁଣା ଢାଞ୍ଚାରେ ଚାଲିଛି ନିର୍ବାଚନୀ ପ୍ରସ୍ତୁତି । ଅଧିକ କ୍ରିୟାଶୀଳ ହୋଇଛି ଛାମୁଆ ସଂଗଠନ । ଚବିଶ ନିର୍ବାଚନ ପରେ ବି ବିଜେଡି ଜାରି ରଖିଛି ସାଂଗଠନିକ କାମ । ରାଜ୍ୟ କାର୍ଯ୍ୟକାରିଣୀ, ରାଜ୍ୟ ପରିଷଦ, ରାଜନୈତିକ ବ୍ୟାପାର କମିଟି, ଛାମୁଆ ସଂଗଠନ ଓ ଜିଲ୍ଲା ସଂଗଠନକୁ ନୂଆ ରୂପ ଦେଇଛି । ଏବେ ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛି ଦଳ । ପ୍ରତ୍ୟେକ ଦିନ ସାଂଗଠନିକ ସ୍ଥିତିର ସମୀକ୍ଷା କରି ନେତାଙ୍କୁ ସଂଗଠନର ଗୁରୁ ଦାୟିତ୍ବ ଦେଉଛି ଦଳ । ସୋମବାର ଗଞ୍ଜାମ, କଟକ, କଳାହାଣ୍ଡି ଓ କେନ୍ଦ୍ରାପଡାର ଜିଲ୍ଲା ସଭାପତି ନାଁ ଘୋଷଣା କରିଛି ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୁକ୍ତି, ବିଜେପିକୁ ଭୋଟ ଦେଇ ଅନୁତାପ କରୁଛନ୍ତି ଲୋକେ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ଗତଥର ପରି ଦଳ କିପରି ଅଧିକ ଆସନ ଦଖଲ କରିବ ସେ କାମରେ ଲାଗିପଡିଛନ୍ତି ଦଳୀୟ କର୍ମୀ ଓ ନେତା ।
ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ ଓ ବିକ୍ଷୋଭ କରିଛି । ନିର୍ବାଚନର ବର୍ଷେ ପରେ ପୁଣି ଥରେ ବିଜେଡି ପୁରୁଣା ଢାଞ୍ଚାରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ରାଜନୈତିକ ସମୀକ୍ଷକ କେ. ରବି କହିଛନ୍ତି । ଶାସନରେ ଥିବା ବେଳେ ବିଜେଡି ନିର୍ବାଚନର ପରଦିନ ଆଗମୀ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରେ । ବିରୋଧୀ ଦଳରେ ଥାଇ ମଧ୍ୟ ସେପରି ପ୍ରସ୍ତୁତି ଆରମ୍ଭ କରିଛି । ବିରୋଧୀ ଦଳରେ ଥାଇ ଦଳ ଏଥିରେ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ ବୋଲି ବୋଲି କହିଛନ୍ତି ସମୀକ୍ଷକ ।
ନବୀନ ନବମ ଥର ବିଜେଡିର ସଭାପତି ହେବା ପରେ ଦଳୀୟ ସଂଗଠନର ନବକଳେବର କରି କର୍ମୀ ବିଭିନ୍ନ ନେତାଙ୍କ ସାଂଗଠନିକ ଦାୟିତ୍ବରେ ନିୟୋଜିତ କରିଛନ୍ତି । ଯାହା ଦଳୀୟ କର୍ମୀ ଓ ନେତାଙ୍କ ମନରେ ଉତ୍ସାହ ଭରିଛି । ଆଗକୁ ଦଳ ଓଡିଶାବାସୀଙ୍କ ହକ ପାଇଁ ଲଢେଇକୁ ଜୋରଦାର କରିବାକୁ ଅଣ୍ଟା ଭିଡିଛି ଦଳ ।