ସେବା ଓ ଶାସନର ୨୪ ବର୍ଷ, ରାଜ୍ୟବାସୀଙ୍କ ସେବାରେ ବିଜେଡି ସରକାରକୁ ଚାଲିଲା ୨୪

1 min read

ଭୁବନେଶ୍ୱର: ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାରକୁ ୨୩ ବର୍ଷ ପୂରିଲା । କ୍ରମାଗତ ଭାବେ ୨୩ ବର୍ଷ ଧରି ଓଡ଼ିଶାକୁ ଏକ ସ୍ଥିର ସରକାର ପ୍ରଦାନ କରିଛନ୍ତି ନବୀନ । ଏଇ ୨୩ ବର୍ଷ ଭିତରେ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ ପାଇଛି । ଓଡ଼ିଶାର ଦାରିଦ୍ର୍ୟ ହାର ଜାତୀୟ ଦାରିଦ୍ର୍ୟ ହାରର ପାଖାପାଖି ରହିଛି । ଭୋକ ଓ ଅନାହାର ମୃତ୍ୟୁ ଇତିହାସ ପାଲଟିଛି । ଓଡ଼ିଶାର ଅର୍ଥନୀତି ୨୦ ହଜାର କୋଟିରୁ ବୃଦ୍ଧି ପାଇ ୨ ଲକ୍ଷ ୩୦ ହଜାର କୋଟିରେ ପହଞ୍ଚିଛି । ୨୦୦୦ ମସିହା ତୁଳନାରେ ବିକାଶ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବ୍ୟୟ ୩୫ ଗୁଣ ବଢ଼ି ୧ ଲକ୍ଷ ୨୫ ହଜାର କୋଟିରେ ପହଞ୍ଚିଥିବାବେଳେ ପୁଞ୍ଜି ବ୍ୟୟ ୬୦ ଗୁଣ ବୃଦ୍ଧି ପାଇ ୫୧ ହଜାର କୋଟି ଟଙ୍କା ଛୁଇଁଛି । ଦେଶର କୌଣସି ରାଜ୍ୟରେ ଦ୍ରୁତ ବିକାଶର ଏହି ଦୁଇ ସୂଚକାଙ୍କ ଏତେ ବେଶି ବଢ଼ି ନାହିଁ ।

ପୂର୍ବରୁ ବିତ୍ତୀୟ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । କର୍ମଚାରୀଙ୍କ ଦରମା ଦେବାକୁ ବି ରାଜ୍ୟ ସରକାରଙ୍କୁ ମାସରେ ୨୮ ଦିନ ଓଭରଡ୍ରାଫ୍ଟ କରିବାକୁ ପଡୁଥିଲା। ଏବେ ବିତ୍ତୀୟ ପରିଚାଳନାରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟର ମାନ୍ୟତା ହାସଲ କରିଛି । ଗତ କିଛି ବର୍ଷ ହେଲା ଓଡ଼ିଶା ରାଜସ୍ଵ ବଳକା ରାଜ୍ୟ ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ୨୩ ବର୍ଷ ଭିତରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ୧୨,୪୦୦ ଟଙ୍କାରୁ ବଢ଼ି ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହୋଇଛି । ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବୃଦ୍ଧିର ହାର ଜାତୀୟ ମୁଣ୍ଡାପିଛା ଆୟ ବୃଦ୍ଧିର ହାରଠାରୁ ମଧ୍ୟ ଅଧିକ ରହିଛି । କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଏବେ ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ବଳକା ରାଜ୍ୟରେ ପରିଣତ ହୋଇଛି। ଏତେ ଅଧିକ ଧାନ ଉତ୍ପାଦନ ହେଉଛି ଯେ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଧାନ ସଂଗ୍ରହ କରି ପାରୁନାହାନ୍ତି।

କମ୍ ପାଣି ଥିବା ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେଇ ଓଡ଼ିଶା ପ୍ରଥମେ ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରିଥିବାବେଳେ ଏବେ ସମଗ୍ର ଦେଶ ଏହାକୁ ଗ୍ରହଣ କରିଛି । ଓଡ଼ିଶାର ଏହି ଉଦ୍ୟମକୁ ମିଳିତ ଜାତିସଂଘ ମଧ୍ୟ ସ୍ୱୀକୃତି ଦେଇଛି । ବିଗତ ୨୩ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି । ୨୦୦୦ ମସିହାରେ ଖରିଫ୍ ଓ ରବି ମିଶି ରାଜ୍ୟରେ ମାତ୍ର ୩୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ରହିଥିବାବେଳେ ଏବେ ୬୬ ଲକ୍ଷ ହେକ୍ଟର ଜମିକୁ ଜଳେସେଚନ କରାଯାଉଛି । ୨୦୨୪ ସୁଦ୍ଧା ରାଜ୍ୟର ୭୨ ଲକ୍ଷ ହେକ୍ଟର ଜମି ଜଳସେଚିତ କରିବାକୁ ଲକ୍ଷ୍ୟ ରହିଛି ।

ସେହିପରି ଭିଭିଭୂମି ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । କେନ୍ଦ୍ର ସରକାର ବିମାନ, ରେଳ ଯୋଗାଯୋଗ ଓ ସଡ଼କ ନିର୍ମାଣରେ ଓଡ଼ିଶା ପ୍ରତି କ୍ରମାଗତ ଭାବେ ଅବହେଳା କରି ଆସୁଥିବାବେଳେ ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଏହି କାର୍ଯ୍ୟକୁ ଆଗେଇ ନେଉଛନ୍ତି । ସଡ଼କ ଯୋଗାଯୋଗ କ୍ଷେତ୍ରରେ ଅପେକ୍ଷାକୃତ ପଛରେ ଥିବା ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ମୁଖ୍ୟତଃ ଫୋକସ୍ କରାଯାଇଛି । ୨୦୧୪ ମସିହାରେ ବିଜେଡି ନିର୍ବାଚନ ଇସ୍ତାହାରରେ ଅନୁସାରେ ୫୪୬ କିମି ଦୀର୍ଘ ବିଜୁ ଏସପ୍ରେସ୍ ୱେ କାମ ସରିଛି ଏଥି ଯୋଗୁଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାର ଲୋକେ ଉପକୃତ ହେବେ ।

ଏହି ରାସ୍ତା କଡ଼େ କଡ଼େ ଅନେକ କମ୍ପାନୀ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେହିପରି ବ୍ରହ୍ମପୁରରୁ ଜୟପୁର ଯାଏ ୩୩୫ କିମି ରାସ୍ତା ବିଜୁ ଏକ୍ସପ୍ରେସ ୱେ-୨ ନିର୍ମାଣ ଲାଗି ମଧ୍ୟ ଘୋଷଣା ହୋଇ ସାରିଛି । ଏ ବାବଦକୁ ୬୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।  ବିଗତ ଦୁଇ ଦଶନ୍ଧି ମଧ୍ୟରେ ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇଛି । ଦେଶର ସର୍ବାଧୂକ ଫସଫେଟ ସାର ଉତ୍ପାଦନ ମଧ୍ୟ ଓଡ଼ିଶାରେ ହେଉଛି।

ସେହିପରି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶ ବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି । ଭିତ୍ତିଭୂମିର ବିକାଶ ଫଳରେ ଡେଲଏଟ୍, ଆଇବିଏମ୍ ଭଳି ଅନ୍ତର୍ଜାତୀୟ ସ୍ତରର ବୃହତ୍ ଆଇଟି କମ୍ପାନିମାନେ ଓଡ଼ିଶାରେ ସେମାନଙ୍କ ଶାଖା ଖୋଲିଥିବାବେଳେ ଅନ୍ୟ କେତେକ ବହୁଦେଶୀୟ କମ୍ପାନୀ ମଧ୍ୟ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଶିଳ୍ପାଞ୍ଚଳ, ଏସଏସଏମଇ ପାର୍କ ଓ ଫୁଡ୍ ପାର୍କ ଆଦି ନିର୍ମାଣ ସାଂଗକୁ ଶିଳ୍ପ ଭିଭିଭୂମିର ବିକାଶ ଲାଗି ଖୁବଶୀଘ୍ର ଆହୁରି ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି।

ବିଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି । ଓଡ଼ିଶାରେ ଥିବା ୮ ହଜାର ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଆଦି ନିର୍ମାଣ କରାଯାଇ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୋ ସ୍କୁଲ ଅଭିଯାନରେ ୩୩ ଲକ୍ଷ ପୁରାତନ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଛନ୍ତି । ସ୍କୁଲଗୁଡ଼ିକରେ ଫାଙ୍କା ପଡ଼ିଥିବା ଶିକ୍ଷକ ପଦ ପୂରଣ ଲାଗି ପର୍ଯ୍ୟାୟକ୍ରମେ ଶିକ୍ଷକ ନିଯୁକ୍ତି ଜାରି ରହିଥିବାବେଳେ ଆଗାମୀ ଦିନରେ ସରକାର ଆହୁରି ୨୦ରୁ ୨୫ ହଜାର ଶିକ୍ଷକ ନିଯୁକ୍ତ କରିବାକୁ ଯାଉଛନ୍ତି।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବା ଲାଗି ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ୧୫୦ଟି ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ ଲାଗି ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ବିଏସକେୱାଇ ନାମରେ ଏକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରି ରାଜ୍ୟର ସାଢ଼େ ୯୬ ଲକ୍ଷ ପରିବାର ସମସ୍ତ ସରକାରୀ ଓ ୬୦୦ରୁ ଅଧିକ ବେସରକାରୀ ହସ୍ପିଟାଲରେ କ୍ୟାସ୍ ଲେସ୍ ଚିକିତ୍ସା ସୁବିଧା କରିଛନ୍ତି ।

୨୦୦୦ ମସିହା ବେଳକୁ ରାଜ୍ୟରେ ଥିବା ମାତ୍ର ୩ଟି ସରକାରୀ ମେଡିକାଲ କଲେଜରୁ ବର୍ଷକୁ ମାତ୍ର ୩୫୦ ଡାକ୍ତର ବାହାରୁଥିଲେ । ଫଳରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଡାକ୍ତର ପଦ ଖାଲି ପଡ଼ୁଥିଲା । ଇତିମଧ୍ୟରେ ସରକାରୀ ମେଡିକାଲ ସଂଖ୍ୟା ୯ରେ ପହଞ୍ଚି ସାରିଛି ଏବଂ ଖୁବଶୀଘ୍ର ଆଉ ୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେଣୁ ୨୦୨୪ ସୁଦ୍ଧା ୧୩ଟି ସରକାରୀ ଓ ଅନ୍ୟ ଘରୋଇ ମେଡିକାଲ କଲେଜରୁ ବର୍ଷକୁ ପ୍ରାୟ ୨୨୦୦ ଡାକ୍ତର ବାହାରିବେ ଏବଂ ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ଆଉ ଡାକ୍ତର ଅଭାବ ରହିବ ନାହିଁ।

ମା’ମାନଙ୍କ ଉନ୍ନତି ନ ହେଲେ ଗୋଟିଏ ପରିବାର, ଗୋଟିଏ ରାଜ୍ୟ ଓ ଗୋଟିଏ ଜାତି ଆଗକୁ ଯାଇପାରିବ ନାହିଁ। ନବୀନ ବାବୁ କ୍ଷମତାକୁ ଆସିଲା ପରେ ଏହାକୁ ଉପଲବ୍ଧି କରିଥିଲେ ଏବଂ ଏ ଦିଗରେ ପଦକ୍ଷେପ ନେଇଥିଲେ । ଏବେ ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି। ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳା ୭ ଲକ୍ଷ ଏସ୍ଏଚ୍ଜି ଗଠନ କରି ବିଭିନ୍ନ ବୃତ୍ତି ଓ ବ୍ୟବସାୟ ଜରିଆରେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି ।

ସେହିପରି ୨୩ ବର୍ଷ ତଳେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର  ଓ ମାତୃ ମୃତ୍ୟୁ ହାର ଅତ୍ୟନ୍ତ ଉଦବେଗଜନକ ଥିଲା । ଶିଶୁ ମୃତ୍ୟୁ ହାରରେ ଓଡ଼ିଶା ଦେଶର ରାଜ୍ୟମାନଙ୍କ ତାଲିକାରେ ୨୯ ନମ୍ବରରେ ଥିଲା। ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ଫଳରେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ସର୍ବାଧୂକ ହ୍ରାସ ପାଇ ୯୧ରୁ ୩୬କୁ ଖସି ଆସିଛି। ସେହିପରି ଓଡ଼ିଶାରେ ମାତୃ ମୃତ୍ୟୁ ହାର ମଧ୍ୟ ୪୫୦ରୁ ହ୍ରାସ ପାଇ ୧୧୯ ହୋଇଛି। ମାତୃ ମୃତ୍ୟୁ ହାରରେ ଏହା ଦେଶରେ ଦ୍ଵିତୀୟ ସର୍ବାଧିକ ହ୍ରାସ । ପୂର୍ବରୁ ଓଡ଼ିଶାରେ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ଉତ୍କଟ ଥିବାବେଳେ ଗତ କିଛିବର୍ଷ ମଧ୍ୟରେ ଏଥିରେ ବ୍ୟାପକ ସୁଧାର ଆସିଛି। ଏହାଛଡ଼ା ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ବଢ଼ିଥିବାରୁ ଓଡ଼ିଶା ଏବେ ବିଦ୍ୟୁତ ବଳକା ରାଜ୍ୟରେ ମଧ୍ୟ ପରିଣତ ହୋଇଛି ।