ଓଡ଼ିଶାବାସୀଙ୍କ ସେବା ଯେମିତି କରୁଥିଲୁ, ସେମିତି ଆଗକୁ ବି ଜାରି ରହିବ: ବିଜେଡି

ଭୁବନେଶ୍ବର: ନିର୍ବାଚନ ପରାଜୟ ପରେ ପୁଣି ଥରେ ତୃଣମୂଳ ସ୍ତରରେ ଅଧିକ ସଶକ୍ତ ହୋଇ ଜନସେବା ଜାରି ରଖିବ ବିଜେଡି । ସଂଗଠନକୁ ନବକଳେବର କରି ଆଗକୁ ବଢୁଛି ଦଳ । ଓଡ଼ିଶାବାସୀଙ୍କ ପାଇଁ ଜାରି ରଖିଛି ସେବା । ରାଜ୍ୟବାସୀଙ୍କ ପାଇଁ ଯେମିତି କାମ କରୁଥିଲା, ସେମିତି କାର୍ଯ୍ୟ ଜାରି ରହିବ ବୋଲି କହିଛି ବିଜେଡି । ବିରୋଧୀ ଦଳ ଭାବେ ବିଜେଡିର ରାଜନୈତିକ ଏଜେଣ୍ଡାକୁ ରାଜନୈତିକ ସମୀକ୍ଷକଙ୍କ ପ୍ରଶଂସା ।

ଓଡିଶାବାସୀଙ୍କ ସେବାରେ ବିଜେଡି । ୨୦୨୪ ନିର୍ବାଚନ ପରେ ବିରୋଧୀ ଦଳ ଭୂମିକାରେ ଓଡ଼ିଶାବାସୀଙ୍କ ସ୍ବର ସାଜିଛି ଦଳ । ବିଭିନ୍ନ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇ ସରକାରଙ୍କୁ ଚେତାଇ ଦେବାରେ ଲାଗିଛି । ନିର୍ବାଚନ ଫଳାଫଳ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳ ତୃଣମୂଳ ସ୍ତରରେ ଆରମ୍ଭ କରିଛି କାମ । ଜୋରସୋରରେ ଲାଗିଛନ୍ତି ଦଳର ବରିଷ୍ଠ ନେତା ଓ ଛାମୁଆ ସଂଗଠନ । ଏହାରି ଭିତରେ ସାଂଗଠନିକ ସ୍ତରରେ ବି କିଛିଟା ପରିବର୍ତ୍ତନ କରିଛନ୍ତି ନବୀନ । ଛାମୁଆ ଛାତ୍ର ସଂଗଠନ ଦଳକୁ ଅଧିକ ମଜବୁତ କରିବା ସହ ଆଗକୁ ବିଭିନ୍ନ ଜନହିତ କାର୍ଯ୍ୟକ୍ରମ କରିବାକୁ ଅଣ୍ଟା ଭିଡ଼ିଛି । ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସହ ବିଜୁ ଛାତ୍ର ଜନତା ଦଳ ସବୁବେଳେ ଥିଲା, ଅଛି ଓ ଆଗକୁ ମଧ୍ୟ ରହିବ । ଛାତ୍ରଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମାଧାନ ପାଇଁ ଦଳ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ।

୨୦୨୪ ନିର୍ବାଚନରେ ପରେ ବିଜେଡିର ରାଜନୈତିକ ଆଭିମୁଖ୍ୟକୁ ଭିନ୍ନ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ । ବିରୋଧୀ ଦଳ ଭାବେ ବିଜେଡି ଯେଉଁ ଭୂମିକା ଗ୍ରହଣ କରିଛି ଏଯାଏଁ ତାହା ସ୍ବାଗତ ଯୋଗ୍ୟ ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ କେ. ରବି ।

ଆଗକୁ ବିଧାନସଭା ବଜେଟ ଅଧିବେଶନ । ୫୧ ବିଧାୟକଙ୍କୁ ନେଇ ଗୃହରେ ବିରୋଧୀ ଦଳର ଭୂମିକା ତୁଲାଇବ ବିଜେଡି । ଖାଲି ସେତିକି ନୁହେଁ ରାଜସ୍ବାର୍ଥ ସାଙ୍ଗକୁ ଲୋକଙ୍କ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡିଛି ଦଳ ।