ବିଜେଡି ପ୍ରତିଷ୍ଠା ଦିବସ ଆଜି: ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ୱୋଧିତ କରିବେ ନବୀନ

1 min read

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

ବ୍ଲକସ୍ତରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି । ବ୍ଲକସ୍ତରରେ ଦଳର ସମସ୍ତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ଓ କମିଟିର ସମସ୍ତ ସଦସ୍ୟ, ବ୍ଲକ ସଂଯୋଜକ, ଜୋନ୍ ସଂଯୋଜକ ପ୍ରମୁଖ ଉପସ୍ଥିତ ରହିବେ । ଏଥି ସହ ୨୫ ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ । ପ୍ରତିଷ୍ଠା ଦିବସରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାଣକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି, ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନ କୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ହେବ ।

କେନ୍ଦ୍ରର ଅବହେଳା ଓ ଦରଦାମ ବୃଦ୍ଧି ସମସ୍ୟାକୁ ଘରେ ଘରେ ପହଞ୍ଚାଇବେ ମହିଳା ବ୍ରିଗେଡ୍ । ବେକାରୀ ଓ ନିଯୁକ୍ତି ନାଁରେ କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ଟାର୍ଗେଟ କରିବେ ଯୁବ ଓ ଛାତ୍ର ଓ୍ୱିଙ୍ଗ୍ । ଗାଁ ଗାଁରେ ପହଞ୍ଚିବ ବିଜୁ ଆଦର୍ଶର ବାର୍ତ୍ତା । ମହାବାତ୍ୟାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୨୬ ଡିସେମ୍ବର ୧୯୯୭ ମସିହାରେ ଗଠନ ହୋଇଥିବା ବିଜେଡି ଏବେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଏକ ମହାଦ୍ରୁମ । ସାଢେ ଚାରି କୋଟି ଓଡ଼ିଆଙ୍କୁ ନିଜର କରିପାରିଛି ବିଜେଡି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡି ଏହା ମଧ୍ୟରେ ସାରା ଦେଶରେ ଗ୍ରହଣୀୟ ହୋଇସାରିଛି । ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛି ଏହି ଆଞ୍ଚଳିକ ଦଳ ।

ରାଜ୍ୟବାସୀଙ୍କ ପାଇଁ ଢାଲ ହୋଇ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବିପର୍ଯ୍ୟୟ ପରିଚାଳନାର ଫର୍ମୁଲାକୁ ବିଶ୍ଵ ଦରବାରରେ ପ୍ରଶଂସା କରାଯାଇଛି । ସାରା ଓଡ଼ିଶାକୁ ନିଜ ପରିବାର ଭାବେ ଗ୍ରହଣ କରିଛନ୍ତି ନବୀନ । ଜନ୍ମରୁ ମୃତ୍ୟୁ ଯାଏ ରହିଛି ଅନେତ ଜନକଲ୍ୟାଣକାରୀ ଯୋଜନା । ଏ ହେଉଛି ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର । ଯାହାର ସଫଳ କାର୍ଯ୍ୟକାରିତା ପାଇଁ ଫାଇଭ୍‌-ଟି ଓ ମୋ ସରକାର ପରି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଯାହାକୁ ପ୍ରଶଂସା କରୁଛି ସାରା ଭାରତବର୍ଷ ।

Leave a Reply