spot_img

Latest Posts

ବିଜେଡିକୁ ଚାଲିବ ୨୭, ପ୍ରତିଷ୍ଠା ଦିବସରେ ବିଜୁବାବୁଙ୍କ ଦୁଃସାହସିକ ସାଇକେଲ ଯାତ୍ରାର ହେବ ସ୍ମୃତିଚାରଣ

ଭୁବନେଶ୍ୱର :  ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୬ ପୂରି ୨୭ବର୍ଷରେ ପାଦ ଦେବାକୁ ଯାଉଛି ବିଜେଡି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପ୍ରତିଷ୍ଠା ଦିବସ ଥିବାରୁ, ଏଥିପାଇଁ ବିଶେଷ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ଦଳ। ବିଶାଳ ସାଇକେଲ ରାଲି, ସାମାଜିକ କାର୍ଯ୍ୟକ୍ରମ ସହ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ପ୍ରତିଷ୍ଠା ଦିବସ। ଏନେଇ ଆଜି ଯୁବ ଓ ଛାତ୍ର ବିଜେଡି ସହ ଶଙ୍ଖ ଭବନରେ ପ୍ରସ୍ତୁତି ବୈଠକ ବସିଥିଲା।

ବିଜେଡିର ପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଡିସେମ୍ବର ୨୬ରେ ଦଳକୁ ୨୬ ପୂରି ୨୭ ଚାଲିବ। ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଭିଜନକୁ ନେଇ ଗଠନ ହୋଇଥିଲା ବିଜେଡି। ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ କଟକରୁ ପେଶାଓ୍ବର ଯାଏ ଦୁଃସାହସିକ ସାଇକେଲ ଯାତ୍ରାକୁ ମନେ ପକାଯିବ। ଏଥିପାଇଁ ନବୀନଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ। ଏଥିରେ ୫ହଜାରରୁ ଅଧିକ ଛାତ୍ର ଓ ଯୁବନେତା ଯୋଗ ଦେବେ। ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶଙ୍ଖ ଭବନ ଅଭିମୁଖେ ବାହାରିବ ସାଇକେଲ ଶୋଭାଯାତ୍ରା। ପ୍ରତିଷ୍ଠା ଦିବସ ପ୍ରସ୍ତୁତିରେ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରୁ ଶଙ୍ଖ ଭବନ ଯାଏ ସାଇକେଲ ଚଲାଇ ଆସିଥିଲେ ଦଳୀୟ ନେତା।

ରାଜନୖତିକ ସହ ସାମାଜିକ କାର୍ଯ୍ୟ ବି ବର୍ଷ ତମାମ ଚଲାଇଥାଏ ବିଜେଡି। ପ୍ରତିଟି ଜୀବନ ମୂଲ୍ୟବାନ ନାରା ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାପକ ରକ୍ତଦାନ ଶିବିର କରିବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହେ ଭିତରେ ୨୬ବର୍ଷ ପୂର୍ତ୍ତି ପାଇଁ ସାରା ରାଜ୍ୟରୁ ୨୬ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର କରାଯାଉଛି। ସେହିପରି ପ୍ରତିଷ୍ଠା ଦିବସରେ ବୃକ୍ଷରୋପଣ ଓ ହସ୍ପିଟାଲରେ ଫଳ ବଣ୍ଟନ ପରି ବି କାର୍ଯ୍ୟକ୍ରମ କରାଯିବ।

Latest Posts

Don't Miss