spot_img

Latest Posts

ନୂଆ ରୂପ ନେବ ବିଜେଡି ସଙ୍ଗଠନ, ନବୀନ ଗଢିବେ ନୂଆ ଟିମ୍

ଭୁବନେଶ୍ବର : ବିଜେଡି ଫୋକସରେ ସଙ୍ଗଠନ। ଅଢେଇରୁ ୩ ମାସ ଭିତରେ ବିଜେଡି ତାର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଅଣ୍ଟା ଭିଡ଼ିଛି । ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ତୃଣମୂଳସ୍ତରରୁ ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ନିର୍ଦ୍ଧାରିତ ସମୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ । ଓ୍ବାର୍ଡ, ପଞ୍ଚାୟତ, ବ୍ଲକ, ପୌର ପରେ ଜିଲ୍ଲା, ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ରାଜ୍ୟ ପରିଷଦକୁ ନିର୍ବାଚିତ ହେବେ। ରାଜ୍ୟ ପରିଷଦର ସଦସ୍ୟ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ କରିବେ। ଏସବୁ ପ୍ରକ୍ରିୟା ପାଇଁ ଅଢେରୁ ୩ ମାସ ସମୟ ଲାଗିବ ବୋଲି କହିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେଡି ନେତାଙ୍କ ମଧ୍ୟରେ ବଢ଼ିଛି ଉକଣ୍ଠା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏବେ ବି ବିଜେଡି ରାଜ୍ୟରେ ନମ୍ବର ଓ୍ବାନ ଦଳ ହୋଇ ରହିଛି । ତୃଣମୂଳସ୍ତରରେ ଦଳର ସଙ୍ଗଠନ ମଜବୁତ ଅଛି, ଆଗକୁ ଅଧିକ ଚଳଚଞ୍ଚଳ ହେବ। ସେହିପରି ବିଧାୟକ ରମେଶ ବେହେରାଙ୍କ କହିବା କଥା, ବିରୋଧୀ ଦଳ ଭାବେ ବିଜେଡି ଲୋକଙ୍କ ସ୍ବର ସାଜିଛି। ବିଭିନ୍ନ ସମସ୍ୟାକୁ ନେଇ ତୃଣମୂଳସ୍ତରରୁ ରାଜ୍ୟ ଯାଏ ଲଢ଼େଇ ଜାରି ରହିଛି। ଏବେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ଉତ୍ସାହ ବଢ଼ାଇବ ଦଳୀୟ ନିର୍ବାଚନ। ସୁପ୍ରିମୋ ନବୀନ ପଟ୍ଟନାୟକ ଦକ୍ଷ ଲୋକଙ୍କୁ ସବୁବେଳେ ଗୁରୁ ଦାୟିତ୍ବ ଦେଇଛନ୍ତି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ। ସାଙ୍ଗଠନିକ ନିର୍ବାଚନ ପରେ ଦଳର ଛାମୁଆ ସଙ୍ଗଠନ ବି ନୂଆ ରୂପ ନେବ । ତେବେ ନବୀନଙ୍କ ନୂଆ ଟିମରେ କିଏ ସ୍ଥାନ ପାଇବ, ତାକୁ ନେଇ ଦଳୀୟ ଅନ୍ଦର ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ୨୦୨୭ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି ।

Latest Posts

Don't Miss