ବିଜେପିର ଛତିଶଗଡ଼ି ପ୍ରେମ । ନିଜ ନେତା ଉପରେ ବିଶ୍ଵାସ ନାହିଁ ବୋଲି ଛତିଶଗଡ଼ି ନେତାଙ୍କ ଉପରେ ଭରସା। ଏହା ଦେଖିବାକୁ ମିଳୁଛି ନୂଆପଡ଼ା ଉପନିର୍ବାଚନରେ। ନୂଆପଡ଼ାରେ ଡେରା ପକାଇଛନ୍ତି ମାଳ ମାଳ ଛତିଶଗଡ଼ି ନେତା। ବିଜେପି ପାଇଁ ପ୍ରଚାର କରୁଛନ୍ତି ସେମାନେ। ଏହାକୁ ନେଇ ବର୍ଷିଛି ବିଜେଡି। ଦଳ ଅଭିଯୋଗ କରିଛି – ଯେଉଁ ଛତିଶଗଡ଼ ଆମର ମହାନଦୀକୁ ଅଟକାଇ ପାଣି ଦେଉନି, ସେହି ଛତିଶଗଡ଼ର ବିଜେପି ନେତାଙ୍କୁ ପ୍ରଚାର କାମରେ ଲଗାଇଛି ରାଜ୍ୟ ବିଜେପି। ଛତିଶଗଡ଼ର ନେତାଙ୍କୁ ଘର ଘର ବୁଲାଇ ଭୋଟ ମାଗୁଛି ବିଜେପି। ନୂଆପଡ଼ାବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦେଇଛି ବିଜେଡି।
ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ମଧ୍ୟ ଉଠାଇଛି ମହାନଦୀ ପାଣି ପ୍ରସଙ୍ଗ। ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ମହାନଦୀର ପାଣି ଟିକକ ପାଇଁ ଆଜି ଆମେ ଡହଳ ବିକଳ ହେଉଥିବା ବେଳେ ଛତିଶଗଡ଼ରୁ ନେତା ଆଣି ନୂଆପଡ଼ାରେ ପ୍ରଚାର କରୁଛି ବିଜେପି। ବିଜେପି ଓଡ଼ିଆ ଅସ୍ମିତାର ନାରା ଦିଏ ସିନା, କିନ୍ତୁ ତାର ଠିକ୍ ଓଲଟା କାମ କରେ। ଛତିଶଗଡ଼ି ନେତାଙ୍କୁ ନୂଆପଡ଼ା ପ୍ରଚାରରେ ଲଗାଇଥିବାରୁ ବିଜେପିକୁ କଟାକ୍ଷ କରିଛି କଂଗ୍ରେସ। ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଦଳ କହିଛି। ନୂଆପଡ଼ା ଲଢ଼େଇ ରହିଲା ଆଉ ମାତ୍ର ୬ ଦିନ ଦିନ। ପ୍ରଚାର ପାଇଁ ହାତରେ କେବଳ ୫ ଦିନ। ସେଥିପାଇଁ ଏବେ ଜୋରସୋରରେ ଚାଲିଛି ପ୍ରଚାର। ସମର୍ଥନ ହାସଲ ପାଇଁ ପ୍ରାର୍ଥୀମାନେ ସବୁ କିଛି ବାଜିରେ ଲଗାଇ ଦେଇଛନ୍ତି। ପ୍ରମୁଖ ଦଳ ମଧ୍ୟରେ ଚାଲିଛି ଆର୍ ପାର୍ ଲଢ଼େଇ। ଆସନ୍ତା ୯ ତାରିଖ ସଂଧ୍ୟାରେ ସରିବ ପ୍ରଚାର। ୧୧ରେ ପଡ଼ିବ ଭୋଟ। ୧୪ରେ ହେବ ଗଣତି।

