ରାଜ୍ୟରେ ମାଓ ଗତିବିଧି ନେଇ ଉଦବେଦ ପ୍ରକାଶ କଲା ବିଜେଡି

ଭୁବନେଶ୍ବର: ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ମାଓ ଗତିବିଧି ନେଇ ଖବର ଆସୁଛି । ଏହା ଏକ ଚିନ୍ତାଜନକ ଓ ସମ୍ବେଦନଶୀଳ ପ୍ରସଙ୍ଗ କହି ଉଦବେଗ ପ୍ରକାଶ କରିଛି ବିଜେଡି । ଏଥିରେ ରାଜ୍ୟର ସୁରକ୍ଷା ଜଡ଼ିତ ଥିବାରୁ ବିଜେଡି ଉଦବେଦ ପ୍ରକାଶ କରିବା ସହିତ ସଂପୃକ୍ତ ତିନି ଜିଲ୍ଲାରେ ଲୋକେ ଆତଙ୍କିତ ଥିବା ଅଭିଯୋଗ କରିଛି ବିଜେଡି । ୨୦୧୩ରେ ଏହି ତିନି ଜିଲ୍ଲା ଜିରୋ ମାଓବାଦୀ ଜିଲ୍ଲା ଭାବେ ଘୋଷଣା ହୋଇଥିଲା । ହେଲେ ଏବେ ସେଠି ଦାଦାବଟି ମାଗିବା ସହିତ ଅସ୍ତ୍ରଶସ୍ତ୍ର ଧରି ଖୋଲାରେ ବୁଲୁଛନ୍ତି । ଲୋକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାରେ ତ୍ରୁଟି ରହିଛି ବୋଲି ତାହା ଆଜି ପ୍ରମାଣିତ ହୋଇଛି । ଓଡ଼ିଶା ପୋଲିସର ଏହା ବଡ଼ ବିଫଳତା ।
ସେମାନେ ଏହାକୁ ଅନୁମାନ କରିବାରେ ବିଫଳ ହୋଇଛନ୍ତି । ରାଜ୍ଯବାସୀଙ୍କୁ ସୁରକ୍ଷା ଦେବାରେ ଗୃହ ବିଭାଗ ଆଜି ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଉତ୍ତର ଦେଇଛନ୍ତି ଯେ ରାଜ୍ୟରେ ୧୦୦ ରୁ ୧୨୦ ମାଓବାଦୀ ଅଛନ୍ତି । ସରକାର ଓ ଏସପିଙ୍କ ମଧ୍ଯରେ ସମନ୍ୱୟ ନାହିଁ । ଏସପି ଫୋନରେ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି । ତେଣୁ ମାଓବାଦୀ ଜନ୍ମ ନେଉଛନ୍ତି । ଯେଉଁଠି ସରକାରୀ ଯୋଜନା ପହଞ୍ଚୁନାହିଁ ସେଠି ମାଓବାଦୀ ଜନ୍ମ ନେଉଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ଦମନ କରି ନିଯୁକ୍ତି ଓ ରୋଜଗାର ମାଧ୍ଯମ ବାହାର କରିଥିଲେ । ବର୍ତ୍ତମାନର ସରକାର ସେହି କାର୍ଯ୍ୟକ୍ରମ ସବୁକୁ ଆଗକୁ ନେଇ କର୍ମନିଯୁକ୍ତି ଦେଉ । ଯେଉଁ ୧୨୦ ମାଓବାଦୀଙ୍କୁ ସରକାର ଚିହ୍ନଟ କରିଛନ୍ତି, ସେ ଦିଗରେ କଣ ପଦକ୍ଷେପ ନିଆଯାଇଛି ? ନା କେବଳ ଗଣିକି ଓ ଚିହ୍ନିକି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇ ।