ବିଜେପି ସରକାରର ଶହେ ଦିନର ବାହାସ୍ପୋଟର ମୁଖା ଖୋଲିଲା ବିଜେପି, ମନେ ପକାଇ ଦେଲା ପ୍ରତିଶ୍ରୁତି

1 min read

ଭୁବନେଶ୍ବର: ପ୍ରତିଶ୍ରୁତିର ପାହାଡ ଉପରେ ଛିଡ଼ା ହୋଇ ଶହେ ଦିନରେ ପହଞ୍ଚିଛି ବିଜେପି ସରକାର । ଶହେ ଦିନର ବାହାସ୍ପୋଟ ମାରୁଥିବା ବିଜେପିକୁ ନିର୍ବାଚନୀ ଇସ୍ତାହାରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଘେରିଛନ୍ତି ବିଜେଡି ଓ କଂଗ୍ରେସ । କୁଆଡ଼େ ଗଲା ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବା ପ୍ରତିଶ୍ରୁତି ? ୩୫ ଶହ ଭତ୍ତା, ୩୦୦ ୟୁନିଟ ମାଗଣା ବିଜୁଳି ପରି ଉଦାହରଣ ଦେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡ଼ି । କଂଗ୍ରେସ କହିଛି ଜୁମଲା ଦେଖାଇ ବିଜେପି ଓଡ଼ିଶାବାସୀଙ୍କୁ ଠକି ଦେଇଛି । ଅନ୍ୟପଟେ ବିଜେପି କିନ୍ତୁ ବିରୋଧୀଙ୍କ ଅଭିଯୋଗ ଉତ୍ତର ଛାଡ଼ି ଶହେ ଦିନର ସଫଳତାକୁ ବଖାଣିଛି । ଯାହାକୁ ନେଇ ତେଜିଛି ରାଜନୀତି ।

ପ୍ରତାରଣାର ଶହେ ଦିନରେ ବିଜେପି ସରକାର । ୨୦୨୪ ନିର୍ବାଚନୀ ଇସ୍ତାହାରେ ଦଳ ଦେଇଥିବା ପ୍ରତିଶ୍ରୃତି ଏବେ ପାଣିର ଗାର ସାଜିଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାର ଗଠନର ଶହେ ଦିନ ପୂରଣ ହେବାକୁ ଯାଉଥିବା ବେଳେ ବିଜେପିର ମିଛ ପ୍ରତିଶ୍ରୁତିକୁ ସାମ୍ନାକୁ ଆଣିଛି ମୁଖ୍ୟ ବିରୋଧୀ ଦଳ ବିଜେଡ଼ି । ପ୍ରଶ୍ନ କରିଛି କୁଆଡ଼େ ଗଲା, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ଦେବା ? ୩୫ ଶହ ଭତ୍ତା ପ୍ରତିଶ୍ରୃତି କେବେ ପୂରଣ କରିବ ? ଶହେ ଦିନ ଭିତରେ କାହିଁକି ଲୋକଙ୍କୁ ମିଳିଲାନି ୩୦୦ ୟୁନିଟ ମାଗଣା ବିଜୁଳୀ ? ବିଜେପିର ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି ମନେନାହିଁ କି ?  ଶହେ ଦିନର ମୋହନ ସରକାରଙ୍କ ଏପରି ଲମ୍ବା ମିଛ ପ୍ରତିଶ୍ରୁତିକୁ ସାମ୍ନାକୁ ଆଣିଛି ବିଜେଡି ।

କେବଳ ସେତିକି ନୁହେଁ, ଶହେ ଦିନ ଭିତରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହେବା ସହ ବାଲେଶ୍ବରଠାରୁ ଖୋର୍ଦ୍ଧା ଯାଏଁ ସାମ୍ପଦାୟିକ ହିଂସା ଦେଖାଦେଇଛି । ଏହାସହ ମହିଳା, ଶିଶୁ ଓ ଆଦିବାସୀମାନେ ଅସୁରକ୍ଷତି ମନେ କରୁଥିବା ବେଳେ ସେନା ଅଧିକାରୀଙ୍କୁ ପୋଲିସର ବ୍ୟବହାର ଓ ନିର୍ଯାନତା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କିପରି ବିଗିଡ଼ିଛି ତାହା ପ୍ରମାଣିତ କରିଛି ।

ମୋହନ ସରକାର ନିଶାମୁକ୍ତ ଓଡ଼ିଶା ନାରା ଦେଇ ସରକାରକୁ ଆସିଛି । ହେଲେ ସରକାର ଗଠନର ମାସ କେଇଟାରେ ରାଜ୍ୟବାସୀ ଦେଖିଲେ ଚିକିଟିରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବା । ଯାହା ମୋହନ ସରକାରଙ୍କ ନିଶା ନିବାରଣ ଆନ୍ତରିକତାକୁ ପଦାରେ ପକାଇଛି । ଆନ୍ଦ୍ର ଓ ବିହାରକୁ ସ୍ବତନ୍ତ୍ର ସହାୟତା ଦେଇଥିବା କେନ୍ଦ୍ର ସରକାର ଶହେ ଦିନରେ ଓଡ଼ିଶା କିପରି ପୋଲାଭରମ ଯୋଗୁଁ ବୁଡ଼ିବ ସେ ବ୍ୟବସ୍ଥା କରିଥିବା ବିଜେଡ଼ି ବଖାଣିଛି ।

ବିଜେପିର ଶହେ ଦିନର ସରକାରକୁ ନେଇ ବର୍ଷିଛି କଂଗ୍ରେସ । ଶହେ ଦିନରେ ଓଡ଼ିଶା କ’ଣ ପାଇଛି ବୋଲି ପ୍ରଶ୍ନ କରିଛି ଦଳ ।  ୨ କୋଟି ୨୫ ଲକ୍ଷରୁ ଅଧିକ ମହିଳା ଥିବା ବେଳେ ସୁଭଦ୍ରା ଯୋଜନାରେ ୫୦ ପ୍ରତିଶତ ମହିଳା ପାଇବେନି l ଦରଦାମ ଏବେ ଆକାଶ ଛୁଆଁ l ମାସକୁ ୮୩୩ ଟଙ୍କାରେ ମହିଳା କିପରି ସଶକ୍ତି ହେବେ ବୋଲି ଦଳ ପ୍ରଶ୍ନ କରିଛି । ଓଡିଶାରେ ୩୪ ଲକ୍ଷ ପକ୍କାଘର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୬ ଲକ୍ଷ ପକ୍କାଘର ଦିଆଯାଇଛି l ଯେତେବେଳେ କି ପ୍ରଧାନମନ୍ତ୍ରୀ କହିଥିଲେ ୨୦୨୨ରେ ସମସ୍ତଙ୍କୁ ପକ୍କା ଘର ଦେବେ l ବିଜେପି ସରକାର ଯୋଗୁଁ ଦେଶ ଓ ରାଜ୍ୟରେ ବେକାରୀ ଶୀର୍ଷରେ ପହଞ୍ଚିଛି ଓ ରେକର୍ଡ଼ କରିଛି l

ସେହିପରି ବିଜେପିର ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି କୁଆଡେ ଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି ପ୍ରତିଶ୍ରୁତି ଭୁଲିଯାଇଥିବାରୁ ମନେ ପକାଇ ଦେଲୁ କହି କଟାକ୍ଷ କରିଛି କଂଗ୍ରେସ ।

୧୦୦ ଦିନ ଭିତରେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଲା, ହେଲେ ରାଜ୍ୟର ମୋହନ ସରକାର ଏହାକୁ ଚପାଇ ଦେଲେ । ୧୦୦ ଦିନ ଭିତରେ ଧମାରାକୁ ଆଦାନୀକୁ ଦେଇଦେଲେ । ଏହା ହେଉଛି ବିଜେପି ଶହେ ଦିନର ସଫଳତା ବୋଲି କଂଗ୍ରେସ ଅଭିଯେଗା କରିଛି । ସେପଟେ ବିଜେପି ସଭାପତି ମନମୋହନ ସାମଲ ପ୍ରେସମିଟ କରିଛି ଶହେ ଦିନରେ ବିଜେପିର ସଫଳତାକୁ ବଖାଣିଛନ୍ତି । ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଗୋଟି ଗୋଟି ହିସାବ ଦେଇଛି ଦଳ ।

ରାତି ପାଇଲେ ମୋହନ ସରକାର ଶହେ ଦିନ ପୂରଣ କରିବ । ନିର୍ବାଚନୀ ଇସ୍ତାହାର ଗୋଟେ ପଟେ ସରକାରଙ୍କ କାର୍ଯ୍ୟକ୍ରମ ଆଉ ଗୋଟେ ପଟେ ଥିବାରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବା ସହ ପ୍ରତିଶ୍ରୃତି ପାଳନ କରିବାକୁ ଦାବି କରିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି ।