ବିଜେଡି କାର୍ଯ୍ୟକାରିଣୀ ବୈଠକ, ନବୀନ ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର: ରବିବାର ବିଜେଡିର କାର୍ଯ୍ୟକାରିଣୀ ବୈଠକ । ସଂଶୋଧନ ହେବ ଦଳର ସମ୍ବିଧାନ । ପ୍ରସ୍ତୁତ ହେବ ରାଜନୈତିକ ଚିଠା ପ୍ରସ୍ତାବ । ଫୋକସ୍ରେ ରହିବ ଦଳର ସାଂଗଠନିକ କାର୍ଯ୍ୟକ୍ରମ । ଦଳୀୟ ନେତାଙ୍କୁ ଟିପ୍ସ ଦେବେ ନବୀନ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ରବିବାର ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ଏହାପରେ ଦ୍ଵିତୀୟ ଦିନ ଅର୍ଥାତ ଆସନ୍ତାକାଲି ଦଳର ରାଜ୍ୟ ପରିଷଦ ବୈଠକ ବସିବ ।
ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ କାର୍ଯ୍ୟକାରିଣୀରେ ବହୁ ରାଜନୈତିକ ଚିଠା ପାସ୍ ହେବ । ବୈଠକରେ ୮୦ଜଣ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେବେ । ବର୍ତ୍ତମାନ ବିଜେଡିର ସଭ୍ୟ ସଂଖ୍ୟା ୧କୋଟି ୧୦ ଲକ୍ଷରେ ପହଞ୍ଚିଛି । ଦଳ ପ୍ରତି ବଢୁଥିବା ଆସ୍ଥା ଯୋଗୁଁ ଆଗାମୀ ଦିନର ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ପାସ୍ କରାଯିବ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡି ରଣନୀତି ପ୍ରସ୍ତୁତ କରିବ । ଏହାସହ ଆସନ୍ତା ୨୬ ତାରିଖରେ ଦଳର ପ୍ରତଷ୍ଠା ଦିବସ ନେଇ ମଧ୍ୟ ଆଲୋଚନା ହେବ ।