ଆରମ୍ଭ ହେଲା ବିଜେଡି କାର୍ଯ୍ୟକାରିଣୀ ବୈଠକ, ଦଳ ସମ୍ବିଧାନ ସଂଶୋଧନ ପାଇଁ ପ୍ରସ୍ତାବ
ଭୁବନେଶ୍ୱର: ବିଜେଡି କାର୍ଯ୍ୟ କାରିଣୀ ବୈଠକ ଆରମ୍ଭ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବୈଠକ । ଭାର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଅଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ୮୦ ଜଣ କାର୍ଯ୍ୟ କାରିଣୀ ସଦସ୍ୟ ଉପସ୍ଥିତ ରହିଛନ୍ତି । ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହ ଅନେକ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ବୈଠକରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ଅବସରରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ବିଜେଡିର ରାଜନୈତିକ ଭବିଷ୍ୟତକୁ ନେଇ ଦୃଢମତ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଆଗକୁ ଆହୁରି ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରୀୟ ରହିବ । ଦଳୀୟ ନେତା ଓ କର୍ମୀଙ୍କୁ ସେ ଷଷ୍ଠଥର ପାଇଁ ପ୍ରସ୍ତୁତି କରିବାକୁ ଆହ୍ୱାନ କରିଛନ୍ତି । ସେ କହିଥିଲେ ଯେ, ‘ଆମେ ସମସ୍ତେ ନିଜ କର୍ତ୍ତବ୍ୟ ଠିକ ଭାବେ କରିବା । ନିଜେ ଦାୟିତ୍ୱ ନେଇ କାମ କର । ଏମିତି କାମ କର ଯେମିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ମଳିନ ନ ପଡ଼ୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଅ’ ।
ଅନ୍ୟପଟେ ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ଆଭିମୁଖ୍ୟକୁ ନେଇ ବୈଠକରେ କିଛି ପ୍ରଶ୍ନ ଉଠିଥିଲା । କିଛି ଦ୍ଵନ୍ଦ ବି ରହିଥିଲା । ହେଲେ ଯୁବ ବିଜେଡି କାର୍ଯ୍ୟ କାରିଣୀରେ ସବୁ ପ୍ରଶ୍ନ ଆଉ ଦ୍ଵନ୍ଦର ଉତ୍ତର ରଖିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡ଼ିଶାର ସ୍ୱାର୍ଥ କ୍ଷେତ୍ରରେ ଯେଉଁମାନେ ଅବହେଳା କରିବେ ତାଙ୍କ ବିରୁଦ୍ଧରେ ଲଢେଇ ହେବ । କେନ୍ଦ୍ର ଅବହେଳା ବିରୁଦ୍ଧରେ ଜୋରଦାର ଲଢେଇ କରାଯିବ । ବିଜେଡି ଏକ ପରିବାର । ପରିବାର ଭିତରେ ଏବଂ ଘର ଭିତରେ ବହୁ ମତ ପାର୍ଥକ୍ୟ ଥାଏ । ପରିବାରର ଯିଏ ମୁଖ୍ୟ ଦଳର ସୁପ୍ରିମୋ ଯାହା ନିର୍ଦେଶ ଦେବେ ଆମେ ତାକୁ ପାଳନ କରିବୁ । ସେଥିରେ କିଛି ସମସ୍ୟା ନାହିଁ ।
ସେହିଭଳି କେନ୍ଦ୍ରର କୃଷି ଆଇନକୁ ନେଇ ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କୁ ଗୁରୁତ୍ୱ ଦେବା ଉଚିତ୍ । ସେ ଚାଷୀଙ୍କ କ୍ଷତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, କୋଭିଡରେ ଦେଶର ସଫଳତା ଓ ବିଜେପି ଶାସିତ ରାଜ୍ୟରେ ବିଫଳତା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ସାଂସଦ ପିନାକୀ ମିଶ୍ର ।