ଆଜିଠୁ ୩ ଦିନ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ଓ୍ବାନ ଟୁ ଓ୍ବାନ

ଭୁବନେଶ୍ୱର: ଆହୁରି ସଶକ୍ତ ହେବ ବିଜେଡି । ରାଜ୍ୟ ସରକାରଙ୍କ ପ୍ରତିଟି ଲୋକାଭିମୁଖୀ ଯୋଜନା ଓ ବିକାଶ ସହ ଯୋଡ଼ି ହେବେ ସାଧାରଣ ଲୋକ । ଆଜିଠାରୁ ୩ ଦିନ ସାଙ୍ଗଠନିକ ସ୍ଥିତିକୁ ନେଇ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୩ଟି ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ନିବାସରେ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ପ୍ରତ୍ୟେକ ଦିନ ୧୦ରୁ ୧୧ ଜଣ ପର୍ଯ୍ୟବେକ୍ଷକ ଏହି ବୈଠକରେ ଯୋଗଦେବେ । ସକାଳୁ ସନ୍ଧ୍ୟା ଭିତରେ ବିଭିନ୍ନ ସମୟରେ ଦୁଇରୁ ତିନିଜଣ ଲେଖାଏଁ ପର୍ଯ୍ୟବେକ୍ଷକମାନଙ୍କ ସହିତ ସଭାପତି ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଆଗାମୀ ଦିନରେ ସଂଗଠନକୁ ଲୋକପ୍ରିୟତାର ଶୀର୍ଷରେ ପହଁଚାଇବାକୁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମୀକ୍ଷା ବୈଠକରେ ନବୀନ ଜିଲ୍ଲାୱାରୀ ସଫଳତା ଓ ବିଫଳତାର ହିସାବ ନେବେ । ଏଥିସହିତ ଯେଉଁ ଜିଲ୍ଲାପରିଷଦ ଜୋନରେ ଆଶାନୁରୂପ ପ୍ରଦର୍ଶନ କରିପାରିନି ଦଳ, ସେଠାରେ ପୁଣି ଥରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ।