୨୪ ଘଣ୍ଟାରେ ଚାଷୀଙ୍କୁ ଟଙ୍କା ଦିଅ, ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କର

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ରାଜ୍ୟ ବିଜେପି ସରକାର ବିରୋଧରେ ବିଜେଡିର ରଣ ହୁଙ୍କାର । ଚାଷୀଙ୍କ ପାଇଁ ରାଜ ରାସ୍ତାକୁ ଆସିଲା ବିଜେଡି । ସରକାରଙ୍କୁ ଦେଲା ୨୪ ଘଣ୍ଟାର ମହଲତ । ଏହି ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ଟଙ୍କା ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କଲା ଦାବି । ଭୁବନେଶ୍ୱରରେ ନବରଙ୍ଗପୁର ରାଇଘର ବ୍ଲକ ଚାଷୀ ଆନ୍ଦୋଳନରେ ଯୋଗ ଦେଇ ବିଜେଡି ଏପରି ଦାବି କରିଛି । ଏହାସହ ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ହସ୍ତକ୍ଷେପ କରିବାକୁ ଦଳ ଦାବି କରିଛି । ସେପଟେ ଧାନ କିଣାରେ କିଛି କାଗଜପତ୍ର ଭୁଲ ଥିବାରୁ ଚାଷୀ ଟଙ୍କା ପାଇ ନଥିବା କହିଛନ୍ତି ସମବାୟ ମନ୍ତ୍ରୀ । ୪ ମାସ ହେବ ଧାନ ବିକ୍ରି କରି ଟଙ୍କା ପାଇ ନଥିବାରୁ ରାଜଧାନୀରେ ଅହୋରାତ୍ର ଧାରଣା ଦେଇଛନ୍ତି ଚାଷୀ ।

ସରକାରଙ୍କୁ ଧାନ ବିକି ଚାଷୀ ହତାଶ । ଧାନ ମୂଲ୍ୟ ପାଇବାକୁ ରାଜାଧାନୀରେ ଦେବାକୁ ପଡ଼ିଛି ଅହୋରାତ୍ର ଧାରଣା । ଧାନ ବିକିବାର ୪୮ ଘଣ୍ଟାରେ ଟଙ୍କା ଆକାଉଣ୍ଟକୁ ଆସିବା କଥା । ହେଲେ ନବରଙ୍ଗପୁର ଜିଲ୍ଲା ରାଇଘରର ୩୪୪ ଜଣ ଚାଷୀ ପାଇନାହାନ୍ତି ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା । କେବେ ପାଇବେ ? କାହିଁକି ବିଳମ୍ବ ହେଲା ? ଏଥିପାଇଁ ଦାୟୀ କିଏ ? ଏମିତି ପ୍ରଶ୍ନ ଛିଡ଼ା ହୋଇଛି । ୪ ମାସ ହେଲା ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି । ହେଲେ ବିକ୍ରି ଧାନର ଟଙ୍କା ମିଳୁନାହିଁ । ବ୍ଲକରୁ ଜିଲ୍ଲାପାଳଙ୍କ ଅଫିସ ଯାଏଁ ଦୌଡ଼ି ନୟାନ୍ତ ହେବା ପରେ ଚାଷୀ ରାଜଧାନୀକୁ ଆସିଛନ୍ତି । ଆଉ ଚାଷୀଙ୍କ ଦୁଃଖକୁ ସମର୍ଥନ କରିଆସୁଛି ବିଜେଡି । ଆଜି ଧାରଣା ସ୍ଥଳକୁ ଆସି ଚାଷୀଙ୍କୁ ୨୪ ଘଣ୍ଟାରେ ଟଙ୍କା ଦେବାକୁ ଦାବି କରିଛି ଦଳ । ଟଙ୍କା ଦେଇ ନଥିବା ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ଋଜୁ କରିବାକୁ ଦଳର ବରିଷ୍ଠ ନେତା ଦାବି କରିଛନ୍ତି । ଟଙ୍କା ନଦେଲେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି କହିଛନ୍ତି ଚାଷୀ । ସରକାର ଚାଷୀଙ୍କ ପାଖରୁ ୧୪ ହଜାର ୨୫୨ କୁଇଣ୍ଟାଲ ଧାନ କିଣିଥିଲେ ।

ରାଇଘର ବ୍ଲକ ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ ବିଜେଡିର ବରିଷ୍ଠ ନେତା । ଚାଷୀଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ସେପଟେ ସମବାୟ ମନ୍ତ୍ରୀଙ୍କ କଥାରେ ଭରସା ନାହିଁ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତୁ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି । ଅନ୍ୟପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିବା କଥା କାଗଜରେ କିଛି ଭୂଲ ଥିବାରୁ ସମ୍ପୃକ୍ତ ଚାଷୀଙ୍କୁ ଟଙ୍କା ମିଳିପାରିନାହିଁ ।