କେନ୍ଦ୍ରର ଏତେ ଟାଳଟୁଳ ନୀତି କାହିଁକି ?

ଭୁବନେଶ୍ବର: ପ୍ରତିଶ୍ରୁତିରେ ରହିଗଲା ଚାଷୀଙ୍କ ଆୟ ବୃଦ୍ଧି ଘୋଷଣା । କେବେ ଦେଢ଼ଗୁଣା ହେବ ଧାନର ଏମ୍‌ଏସ୍‌ପି ? ସ୍ବାମୀନାଥନ କମିଶନ ସୁପାରିସକୁ କାହିଁକି ପୂର୍ଣ୍ଣମାତ୍ରାରେ ଲାଗୁ କରାଯାଉନି ? ମୁଖ୍ୟମନ୍ତ୍ରୀ ବାରମ୍ବାର ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଆଜି ରାଜ୍ୟସଭାରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଘେରିଛନ୍ତି ବିଜେଡି ସାଂସଦ । ୨୦୦୪ରେ କେନ୍ଦ୍ର ସରକାର ସ୍ବାମୀନାଥନ କମିଶନ ବସାଇଥିଲେ । ୨୦୦୬ରେ କମିଶନ ୨୧୫ଟି ସୁପାରିସ କେନ୍ଦ୍ରକୁ ଦେଇଥିଲେ । ସୁପାରିସ ଅନୁଧ୍ୟାନ ପାଇଁ ୨୦୦୭ରେ ଗଠନ ହୋଇଥିଲା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି । କମିଶନଙ୍କ ୧୪ଟି ପ୍ରସ୍ତାବକୁ କମିଟି ଅଗ୍ରାହ୍ୟ କରିଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଦେଢ଼ଗୁଣା କରିବାକୁ କମିଶନଙ୍କ ସୁପାରିସକୁ କେନ୍ଦ୍ର ଗ୍ରହଣ କରିଥିଲେ ବି ଏଯାଏଁ କାର୍ଯ୍ୟକାରୀ ହେଉନି ।

ବିଜେଡି ସାଂସଦଙ୍କ ପ୍ରଶ୍ନର ଉତ୍ତର କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ରଖିଥିଲେ ବି ୧୪ଟି ପ୍ରସ୍ତାବ କାହିଁକି କାଟ ଖାଇଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି । ସେହିଭଳି ଗ୍ରହଣ ହୋଇଥିବା ୨୦୧ଟି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ଧାନର ଏମଏସପି ବଢୁନି । ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ।

ଚାଷୀଙ୍କ ଆୟ ବୃଦ୍ଧିକୁ ଏଥରର କେନ୍ଦ୍ରୀୟ ବଜେଟରେ ଗୁରୁତ୍ବ ଦିଆଯାଇଥିବା କୁହାଯାଉଥିଲେ ବି ଚାଷୀଙ୍କ ସ୍ବାର୍ଥ ରକ୍ଷା ଲାଗି ସ୍ବାମୀନାଥନ କମିଶନ ସୁପାରିସ ଲାଗୁ କରିବା ଦିଗରେ କେନ୍ଦ୍ରର ଟାଳଟୁଳ ନୀତିକୁ ବିଜେଡି ସମାଲୋଚନା କରିଛି । ପୂର୍ବରୁ ଓଡ଼ିଶା ବିଧାନସଭାରେ ମଧ୍ୟ ଏମଏସପି ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ରକୁ ଦିଆଯାଇଥିଲା । ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି ।

Leave a Reply