ନୟାପଲ୍ଲୀ ଭଡ଼ାଟିଆଙ୍କୁ ଆକ୍ରମଣ ଘଟଣାରେ ସାରଦାଙ୍କ ଗିରଫ ଦାବି କଲା ବିଜେଡି

1 min read

ଭୁବନେଶ୍ୱର: ମାହାଙ୍ଗାର ବିଜେପି ନେତା ସାରଦା ପ୍ରଧାନଙ୍କୁ ଗିରଫ କରିବା ପାଇଁ ପୋଲିସ କମିଶନରଙ୍କୁ ବିଜେଡିର ସ୍ମାରକପତ୍ର । ଭୁବନେଶ୍ବର ନୟାପଲ୍ଲୀରେ ଭଡ଼ାଟିଆଙ୍କ ଘରେ ପଶି ଆକ୍ରମଣ ସମେତ ଅନେକ ଅପରାଧିକ ମାମଲାରେ ସାରଦା ପ୍ରଧାନ ସମ୍ପୃକ୍ତ ଅଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୋଲିସ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ବିଜେଡି । ସାରଦା ପ୍ରଧାନଙ୍କ ବିରୋଧରେ ବିଭିନ୍ନ ମାମଲା ଥିବା ବେଳେ, ବିଜେପି ତାଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଥିବା ବିଜେଡି ଅଭିଯୋଗ କରିଛି । ସାରଦା ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେଡି ।

ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ଓ ମାରଧର କରିବା ଘଟଣାରେ ପୋଲିସ ୨୦ରୁ ଅଧିକଙ୍କ ନାଁରେ ରୁଜୁ କରିଛି ମାମଲା । ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ତଥା ବିଜେପି ଯୁବନେତ୍ରୀ ଉପସାନା ମହାପାତ୍ର । ଆଉ ଜଣେ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ସମ୍ପୃକ୍ତ । ଭଡ଼ାଟିଆଙ୍କୁ ଘରୁ ବାହାର କରିବାକୁ ଗୁଣ୍ଡାରାଜକୁ ଓହ୍ଲାଇଛନ୍ତି ବିଜେପିର ଏହି ଦୁଇ ନେତା । ନୟାପଲ୍ଲୀ ଏନ-ଥ୍ରୀ ୨୩୧ ନମ୍ବର ଘରକୁ ନେଇ କୋର୍ଟରେ ମାମଲା ଥିବା ବେଳେ ଘରକୁ ନିଜ ଦଖଲକୁ ନେବାକୁ କୁରୁକ୍ଷେତ୍ର ରଚିଛନ୍ତି । ୩୦ରୁ ୪୦ ଗୁଣ୍ଡାଙ୍କୁ ସାଙ୍ଗରେ ନେଇ କରିଥିଲେ ରାତି ଅଧିଆ ଭଙ୍ଗାରୁଜା । ଏପରିକି ସିସିଟିଭି କ୍ୟାମେରାକୁ ମଧ୍ୟ ଛିଣ୍ଡାଇ ନେଇଯାଇଥିବା ଅଭିଯୋଗ ହୋଇଛି ।

ଘଟଣାରେ ପୋଲିସ ଉପାସନା, ସାରଦା ପ୍ରଧାନ, ଉପାସନାଙ୍କ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ଓ ଚିଟଫଣ୍ଡ ଅଭିଯୁକ୍ତ ସାଗର ରାୟଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏମାନଙ୍କ ବିରୋଧରେ ଆଇପିସି ଧାରା ୩୯୫ ଓ ୪୫୦ରେ ମାମଲା ରୁଜୁ ହୋଇଛି । ଡକାୟତି ଓ ବଳପୂର୍ବକ ଜଣଙ୍କ ଘରେ ଧସେଇ ପଶି ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ରୁଜୁ ହୋଇଛି ମାମଲା । ଏବେ ସୁଦ୍ଧା ଘଟଣାରେ ୧୭ଜଣ ଗିରିଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ଘର ମାଲିକ ବିଜୟ କୁମାର ନାୟକଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି । ସେ କିନ୍ତୁ କାହାକୁ ଘର ବିକିନଥିବା ସଫେଇ ଦେଇଛନ୍ତି । ବିଜେପି ଗୁଣ୍ଡାଗର୍ଦ୍ଦିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ହାବିଦାର ଘଟଣା ସମ୍ପର୍କରେ ଜାଣି ମଧ୍ୟ ଚୁପ୍ ରହିଥିଲେ । ଦାୟିତ୍ବରେ ଅବହେଳା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଗିରଫ ୧୭ ଜଣଙ୍କୁ ପୋଲିସ କୋର୍ଟା ଚାଲାଣ କରିଥିବା ବେଳେ ୨ ଜଣଙ୍କୁ ବେଲ୍ ମିଳିଛି । ଅନ୍ୟ ୧୫ ଜଣଙ୍କ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Leave a Reply