ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନିର୍ବାଚନ ଜିତିବା ପାଇଁ ରାଜ୍ଯ ବିଜେପି ଯେକୌଣସି ସ୍ତରକୁ ଖସି ଯାଉଛି। ସରକାରୀ କର୍ମଚାରୀଙ୍କୁ ନାଲିଆଖି ଦେଖାଉଥିବାବେଳେ ତୃଣମୂଳ ସ୍ତରରେ ମହିଳାଙ୍କୁ ନିନ୍ଦିତ, ଲାଞ୍ଛିତ ଅପମାନିତ ତଥା ଚରିତ୍ର ସଂହାର କରିବାକୁ ପଛାଉ ନାହିଁ। ସବୁ ନିର୍ବାଚନରେ ମହିଳାମାନଙ୍କୁ ନିରବଚ୍ଛିନ୍ନ ଭାବେ ଟ୍ରାପ କରିଆସୁଛି। ଏହା ବିରୋଧରେ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡିର ଏକ ମହିଳା ଟିମ ।

ଯେଉଁ ମହିଳାମାନେ ପେଟପାଟଣା ପାଇଁ ପଦାକୁ ଆସି ନିଜ ସ୍ବାଭିମାନ ଗଢୁଛନ୍ତି, ସ୍ବାବଲମ୍ବୀ ହେଉଛନ୍ତି ସେହିଭଳି ସ୍ଥିତିରେ ତୃଣମୂଳସ୍ତରରେ କର୍ମୀଙ୍କୁ ବିଜେପି କ୍ରମାଗତ ଭାବେ ଧମକାଉଛି । ଗର୍ଭବତୀ ମାଆ ମାନଙ୍କୁ, ଶିଶୁମାନଙ୍କୁ ପୋଷଣ ଯୋଗାଉଥିବା ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିଶନ ଶକ୍ତି ମାଆ ମାନଙ୍କୁ ପରାଜୟ ଭୟରେ ନିନ୍ଦିତ ଅପମାନିତ କରିଚାଲିଛି। କେବଳ ବିଜେପି ପାଇଁ କାମ କରିବା ପାଇଁ ଉସୁକାଉଛନ୍ତି। ଏହା କେବଳ ବ୍ରହ୍ମପୁର, କଟକରେ ହେଉନାହିଁ।

ରାଜ୍ଯର ସବୁ ଜିଲ୍ଲାରେ ବିଜେପି ଗୁଣ୍ଡାଗିରି କରି ନାଲିଆଖି ଦେଖାଇ ନିଜ କାମ କରିବାକୁ ବାଧ୍ଯ କରୁଛି। ତେଣୁ ଆଗାମୀ ଦିନରେ ତୃଣମୂଳସ୍ତରର ଏହି ମହିଳା ବିଜେପିକୁ ଉଚିତ ଶିକ୍ଷାଦେବେ। ସେମାନଙ୍କୁ ଓଡ଼ିଶାରୁ ସଂପୂର୍ଣ୍ଣ ବିତାଡ଼ିତ କରିବେ ବୋଲି ଆହ୍ବାନ ଦେଇଛି ବିଜେଡି ଟିମ। ମହିଳାଙ୍କ ପ୍ରତି ଆକ୍ଷେପକୁ ବିଜେଡି ସହ୍ଯ କରିବନି ବୋଲି ଚେତାବନୀ ଦେଇଛି। ତେଣୁ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିଶ୍ରୁତି ଦେଇଥିବା ମୁଖ୍ଯ ନିର୍ବାଚନ ଅଧିକାରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ଆଶା କରିଛି।