ଉଷୁନା ଚାଉଳ ସଂଗ୍ରହ ନେଇ ଦାବି ଜଣାଇଲା ବିଜେଡି

1 min read

ନୂଆଦିଲ୍ଲୀ: ଓଡ଼ିଶାରୁ ଉଷୁନା ଚାଉଳ ସଂଗ୍ରହ କରୁ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) । ବୁଧବାର ଏ ନେଇ ବିଜେଡି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଜେଡି ସଂସଦୀୟ ଦଳ ପକ୍ଷରୁ ପ୍ରଦାନ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ, ୨୦୨୧-୨୨ ବର୍ଷ ପାଇଁ ରାଜ୍ୟରେ ୫୨ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଅମଳ ହେବାର ଆଶା କରାଯାଉଛି । ଏଥିରୁ ବିଭିନ୍ନ ଯୋଜନା ବାବଦରେ ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଓ ୪ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ବଣ୍ଟନ ସରିଲା ପରେ ଆଉ ୨୪ଲକ୍ଷ ମେଟ୍ରିକ ଟନ୍ ଉଷୁନା ବଳକା ହୁଏ ।

ଯଦି କେନ୍ଦ୍ର ସରକାର ଏହି ଉଷୁନା ଚାଉଳ ଓଡ଼ିଶାରୁ ସଂଗ୍ରହ କରିବେ ନାହିଁ ତାହାହେଲେ ରାଜ୍ୟର ପ୍ରାୟ ୧୦ଲକ୍ଷ ଚାଷୀ ପରିବାର ପ୍ରଭାବିତ ହେବେ । ପୂର୍ବରୁ ଏହି ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ମନ୍ତ୍ରୀ କେନ୍ଦ୍ରକୁ ପତ୍ର ଲେଖିଛନ୍ତି। ‌ତେଣୁ ଉଷୁନା ଚାଉଳ ସଂଗ୍ରହ କରାନଯିବା ନେଇ ଡିଏଫ୍‌ପିଡି ପକ୍ଷରୁ ଜାରି ଆଦେଶକୁ ପରିବର୍ତ୍ତନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି । ଏହି ପ୍ରସଙ୍ଗରେ ଆଜି ମଧ୍ୟ ରାଜ୍ୟସଭାର ପ୍ରଶ୍ନକାଳ‌ରେ ବିଜେଡି ସାଂସଦ ସସ୍ମିତ ପାତ୍ର କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଏଫ୍‌ସିଆଇ ଓଡ଼ିଶାରୁ କାହିଁକି ଉଷୁନା ଚାଉଳ ଉଠାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏଥି ପାଇଁ ମନ୍ତ୍ରୀ ଏଫ୍‌ସିଆଇକୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଥିଲେ। ଏହା କରାନଗଲେ ଚାଷୀମାନେ ଗୁରୁତର ପ୍ରଭାବିତ ହେବେ ବୋଲି ସେ କହିଥି‌ଲେ। ଏହି ପ୍ରସଙ୍ଗରେ ସାହାଯ୍ୟ କରିବା ପାଇଁ ରାଜି ହୋଇଥିଲେ। ଏହା ସତ୍ତ୍ୱେ ଏଫ୍‌ସିଆଇ ଉଷୁନା ଚାଉଳ ସଂଗ୍ରହ କରିବ ନାହିଁ ବୋଲି ନିଷ୍ପତ୍ତି କରିଛି। ଯାହା ଓଡ଼ିଶା ତଥା ଚାଷୀମାନଙ୍କ ଉପରେ ପ୍ରଭାବ ପକାଇବ। ଅନ୍ୟ ପକ୍ଷରେ ଏ ପ୍ରସଂଗରେ ଉପଯୁକ୍ତ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀ ଗୋୟଲ ।

ଏଥିସହିତ ପଢ଼ନ୍ତୁ: ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

Leave a Reply