ସୁଭଦ୍ରା ଯୋଜନାର ଏସଓପି ପାଇଁ ଫିଡବ୍ୟାକ ମଗାଯିବାକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ଫିଡବ୍ୟାକ ମାଗିବାକୁ ବିଜେଡିର ସମାଲୋଚନା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଫିଡବ୍ୟାକ ମଗାକୁ ନେଇ ପ୍ରଶ୍ନ ଉଠାଇବା ସହ ସୁଭଦ୍ରା ସହାୟତା ନଦେବାକୁ ବିଜେପି ସରକାର ବାହାନା କରୁଛି ବୋଲି କହିଛନ୍ତି ।

ପ୍ରମିଳା କହିଛନ୍ତି ୨୦୨୪ ନିର୍ବାଚନ ସମୟରେ ବିଜେପିର କର୍ମୀମାନେ ସୁଭଦ୍ରା ଫର୍ମ ଧରିକି ବୁଲିଥିଲେ । ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ କହି ଫର୍ମ ପୂରଣ କରି ଭୋଟ ନିଜ ସପକ୍ଷରେ ନେଲେ । କିନ୍ତୁ ବଜେଟରେ ଏଥିପାଇଁ ମାତ୍ର ୧୦ ହଜାର କୋଟି ଟଙ୍କା ବ୍ଯୟବରାଦ କରିଛନ୍ତି । ଯେଉଁଥିରେ ମାତ୍ର ୨୦ ଲକ୍ଷ ମହିଳା ଉପକୃତ ହେବେ ।

ଏସଓପି କରିବା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ଏବଂ ଜିଲ୍ଲାପାଳଙ୍କ ଫିଡବ୍ୟାକ ନେବା ନେଇ ଉପମୁଖ୍ଯମନ୍ତ୍ରୀଙ୍କ ମନ୍ତବ୍ଯକୁ କଡ଼ା ନିନ୍ଦା କରି ପ୍ରମିଳା କହିଛନ୍ତି, କୌଣସି ଏସଓପି ନଥାଇ ମହିଳାଙ୍କୁ ପ୍ରତାରିତ କରିବାର କାରଣ କ’ଣ ? କୌଣସି ନୀତି ନିର୍ଦ୍ଧାରଣ ନ କରି ମହିଳାଙ୍କୁ ଇନକମ୍ ସାର୍ଟିଫିକେଟ ବାହାର କରିବାକୁ କୁହାଯାଇଥିଲା । ମହିଳାମାନେ ଜନସେବା କେନ୍ଦ୍ରରେ ଲମ୍ବା ଲାଇନ ଲଗାଇ ଖର୍ଚ୍ଚାନ୍ତ ହେଲେ । ଏବେ କିଛି ମହିଳାଙ୍କୁ ସହାୟତା ନଦେବାକୁ ଫିଡବ୍ୟାକ ବାହାନା କରାଯାଉଛି । ଫିଡବ୍ଯାକ ନାଁରେ ବିଜେପି ସରକାର ଚତୁରତା ଦେଖାଉଛି । ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ବିଶ୍ଵକର୍ମା ଯୋଜନା କରିଥିଲା କେନ୍ଦ୍ର । ଏହି ଯୋଜନାରେ କେତେ ଜ’ଣ ସହାୟତା ପାଇଛନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ? ନିର୍ବାଚନ ସମୟରେ ମହିଳାମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରନ୍ତୁ । ନହେଲେ ଆଗାମୀ ଦିନରେ ମହିଳାମାନେ ବିଜେପିକୁ ଉଚିତ ଜବାବ ଦେବେ ବୋଲି ପ୍ରମିଳା କହିଛନ୍ତି ।

ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳମାନଙ୍କୁ ଫିଡବ୍ୟାକ ମାଗିଛନ୍ତି ରାଜ୍ୟ ସରକାର। ଗ୍ରାଉଣ୍ଡରେ ମହିଳାମାନଙ୍କ ଠାରୁ ଜନ ଅଡିଟ କରି ୧୪ ତାରିଖ ସୁଦ୍ଧା ଫିଡବ୍ୟାକ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫିଡବ୍ୟାକ ଆସିବା ପରେ ଏସଓପିରେ ପରିବର୍ତ୍ତନ ହୋଇପାରେ । ଏସଓପି ଫାଇନାଲ ହେଲା ପରେ ଚୂଡ଼ାନ୍ତ ହେବ ହିତାଧିକାରୀଙ୍କ ସଂଖ୍ୟା । କିନ୍ତୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ସର୍ବାଧିକ ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆବେଦନ ପ୍ରକ୍ରିୟାକୁ ବି ସହଜ କାରିବାକୁ ଫିଡବ୍ୟାକ ମଗାଯାଇଛି । ମୋବାଇଲ ଲିଙ୍କରେ ବି କିଭଳି ଆବେଦନ ହୋଇପାରିବ ସେ ନେଇ ସରକାର ଚେଷ୍ଟା କରୁଛନ୍ତି । ସେପ୍ଟେମ୍ବର ୧୭ ରେ ଆରମ୍ଭ ହେବ ସୁଭଦ୍ରା ଯୋଜନା ।