ଦିନକ ପରେ ବିଜୁ ଜୟନ୍ତୀ,ମହାପୁରୁଷଙ୍କୁ ଅସମ୍ମାନ ଓ ନବେ ଦଶକର ପରମ୍ପରାକୁ କୁଠାରଘାତ ନେଇ ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାରଙ୍କ ବିଚିତ୍ର ନୀତି। ଗୋଟିଏ ମାଡ଼ରେ ମହାପୁରୁଷଙ୍କୁ ଅସମ୍ମାନ ଓ ୯୦ ଦଶକର ପରମ୍ପରାକୁ କୁଠାରଘାତ । କେବଳ ଓଡ଼ିଶା କି ଭାରତ ନୁହେଁ, ସାରା ବିଶ୍ବରେ ବରପୁତ୍ରର ଆଖ୍ୟା ପାଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଡବଲ ଇଂଜିନ ସରକାର ଅସମ୍ମାନ ପ୍ରଦର୍ଶନ କରିବାର ଆଶଙ୍କା ରହିଛି । କାରଣ ବିଜୁ ଜୟନ୍ତୀକୁ ମାତ୍ର ଦିନେ ବାକି ଅଛି । ଏହି ଦିନକୁ ପ୍ରତି ବର୍ଷ ପଞ୍ଚାୟତିରାଜ ଦିବସ ଭାବେ ପାଳି ଆସୁଥିଲେ ରାଜ୍ୟ ସରକାର । ହେଲେ ନୂଆ ସରକାର ଏଯାଏଁ ଏହା ପାଳନ କରିବାକୁ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଏହାକୁ ପଞ୍ଚାୟତିରାଜ ଦିବସ ଭାବେ ପାଳିବାକୁ ଏଯାଏଁ ସରକାରୀ ଅଧିକାରୀ କି ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଯାଇନି । ୯୦ ଦଶକରୁ ଓଡ଼ିଶାକୁ ଶାସନ କରିଥିବା ବିଭିନ୍ନ ସରକାର ବିଜୁ ପଟ୍ଟନାୟକଙ୍କ ସମ୍ମାନରେ ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳି ଆସୁଥିଲେ । ହେଲେ ଦଳମତଠାରୁ ଉପରେ ଥିବା ବିଜୁ ବାବୁଙ୍କୁ ମୋହନ ମାଝୀ ସରକାର ରାଜନୈତିକ ଦୃଷ୍ଟିକୋଣରୁ ଦେଖୁଥିବାରୁ ଅସନ୍ତୋଷ ବଢିଛି । ସରକାର ଆସିବେ ଓ ଯିବେ । ହେଲେ ମହାପୁରୁଷଙ୍କ ସମ୍ମାନ ଓ ଗଣତନ୍ତ୍ରର ମହାନୀୟତା ପାଇଁ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ଜାରି ରଖିବାକୁ ବିଜେଡି ଦାବି କରିଛି । କଂଗ୍ରେସ ବି ସରକାର ଥିବା ସମୟରେ ବିଜୁ ପଟ୍ଟନାୟକଙ୍କ ସମ୍ମାନରେ କାମ କରିଥିଲା । ଯେଉଁଥିପାଇଁ ବିଜୁ ଜୟନ୍ତୀକୁ ହିଁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ ସରକାରଙ୍କ ପାଖରେ କଂଗ୍ରେସ ବି ଦାବି ରଖିଛି ।
ନୂଆ ସରକାର ଆସୁ ଆସୁ ହିଁ ବିଜୁ ପଟ୍ଟନାୟକଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଥିଲା । ସରକାର ଗଠନ ହେଉ ହେଉ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ପରିବର୍ତ୍ତନ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର । ହେଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ବିଭିନ୍ନ ମହଲରୁ ବିରୋଧ ସହ ନିନ୍ଦା ସହିଥିଲେ ରାଜ୍ୟ ସରକାର । ବାଧ୍ୟ ହୋଇ ଗୋଟାଏ ଦିନରେ ହିଁ ବିଜ୍ଞପ୍ତି ସଂଶୋଧନ କରାଗଲା ଓ ରବିବାର ଛୁଟି ଦିନ ସକାଳୁ ଲୋକସେବା ଭବନ ଆସି ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ପରିବର୍ତ୍ତନ ହୋଇ ନଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୈଫତ ଦେଲେ । ପ୍ରଶ୍ନ ଉଠୁଛି, ଜାଣିଶୁଣି ବିଜୁ ପଟ୍ଟନାୟକଙ୍କୁ ରାଜନୈତିକ ଦଣ୍ଡିକୁ ଟାଣୁଛନ୍ତି ନା ବିଜୁ ବାବୁଙ୍କ ଲୋକପ୍ରିୟତାକୁ ହଜମ କରି ପାରୁ ନାହାନ୍ତି ରାଜ୍ୟ ସରକାର ।