spot_img

Latest Posts

କଂଗ୍ରେସର ହିଂସାତ୍ମକ ଆନ୍ଦୋଳନକୁ ବିଜେଡିର ନିନ୍ଦା

ଭୁବନେଶ୍ୱର: ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ ଆଜି ହିଂସାର ରାସ୍ତା ଆପଣାଇଛି । ପୋଲିସ୍ ଉପରେ କଂଗ୍ରେସର ଆକ୍ରମଣକୁ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଗତକାଲି ବିଜେପି ଯୁବମୋର୍ଚ୍ଚା ପୋଲିସକୁ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ ଆଜି କଂଗ୍ରେସ ସେମାନଙ୍କ ସହ ପ୍ରତିଯୋଗିତା କରିବାକୁ ଯାଇ ପୋଲିସ୍ ଉପରକୁ ପଚା ଅଣ୍ଡା ଓ ଟମାଟୋ ଫିଙ୍ଗିଛି । ଏପରିକି ପୋଲିସ୍ ଗାଡ଼ିରେ ପଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ତେବେ ସେମାନେ ଏଭଳି ହିଂସା ଘଟାଇବାରୁ ପୋଲିସ୍ ସେମାନଙ୍କୁ ବିରୋଧ କରି ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇଦେବାକୁ ସମର୍ଥ ହୋଇଛି ।

ଏଥିସହ ପଢ଼ନ୍ତୁ: ଦାବି ନାଁରେ କଂଗ୍ରେସର ଦାଦାଗିରି, ପୋଲିସକୁ ଫିଙ୍ଗିଲେ ଅଣ୍ଡା ଓ ଟମାଟୋ

ଯେଉଁ ହିଂସାତ୍ମକ ଆଚରଣ ପାଇଁ ଦୀର୍ଘ ୨୨ ବର୍ଷ ହେଲା ଓଡ଼ିଶାବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ଏବେ ବି କଂଗ୍ରେସ ତାହା ଛାଡ଼ିପାରୁ ନାହିଁ ବୋଲି ଆଜି ସେମାନଙ୍କ କାର୍ଯ୍ୟକଳାପରୁ ତାହା ପ୍ରମାଣିତ ହୋଇଯାଇଛି । ଏହାଛଡ଼ା ରାଜ୍ୟରେ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପରିକି କଂଗ୍ରେସ ଭବନ ଭିତରେ ମଧ୍ୟ କଂଗ୍ରେସ କର୍ମୀ ଓ ନେତାମାନେ ପରସ୍ପର ମଧ୍ୟରେ ବାଡ଼ିଆପିଟା ହେଉଛନ୍ତି । ଦଳ ଦୟନୀୟ ଅବସ୍ଥାରେ ଥିଲେ ମଧ୍ୟ ନେତୃତ୍ୱକୁ ନେଇ ଟଣାଓଟରା ଲାଗି ରହିଛି ।

BJD Condemns Congress Violence Politics

କଂଗ୍ରେସ ଦଳ ରାଜ୍ୟବାସୀଙ୍କ ଜନମାନସରୁ କ୍ରମଶଃ ହଜି ହଜି ଯାଉଥିବା ବେଳେ କେବଳ ସ୍ଥିତି ରକ୍ଷା ଲାଗି କଂଗ୍ରେସ କର୍ମୀମାନେ ଆନ୍ଦୋଳନ ନାଁରେ ରାଜରାସ୍ତାରେ ହିଂସା ପ୍ରଦର୍ଶନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏଭଳି ହୀନ ଉଦ୍ୟମ କରିଛନ୍ତି । ସଦାବେଳେ ହିଂସା ଓ ବିଶୃଙ୍ଖଳିତ ଆଚରଣ ଲାଗି ବଦନାମ କଂଗ୍ରେସ ଏଭଳି ହିଂସା ଓ ଗୁଣ୍ଡାଗର୍ଦ୍ଦିରୁ ବିରତ ନ ରହିଲେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏମିତି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଥିବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

Latest Posts

Don't Miss