ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଏସଏଚଜି ମହିଳା ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗର ଦୃଢ଼ ଜବାବ ଦେଇଛି ବିଜେଡି । ଏହାସହ ଏହାକୁ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଭିଡ଼ିଓର ଫରେନସିକ୍ ଯାଞ୍ଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି ।

ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ବାଭିମାନୀ ଧାମନଗର ମାଟିର ଏସଏଚଜି ମହିଳାଙ୍କୁ ବଦନାମ କରିବାକୁ ଏହି ଷଡଯନ୍ତ୍ର ରଚାଯାଇଛି । ସତସାହାସ ଥିଲେ ଭିଡ଼ିଓରେ ଥିବା ବ୍ୟକ୍ତି ଜଣକ କିଏ ତାହା ପ୍ରମାଣିତ କରିବାକୁ ବିଜେପିକୁ ଖୋଲା ଚ୍ୟାଲେଞ୍ଜ କରିଛି ବିଜେଡି ।

ନିର୍ବାଚନ ଆସିଲେ ବିଜେପି ଚିରାଚରିତ ଢଙ୍ଗରେ ଯେଉଁ ଭଳି ଆକ୍ଷେପ ରାଜନୀତି କରିଥାଏ ଏଥର ଧାମନଗର ଉପନିର୍ବାଚନରେ ମଧ୍ୟ ସେହି ପନ୍ଥା ଆପଣେଇଛି । ମୁହଁରେ ଓଢଣି ଘୋଡାଇ ଜଣେ ମହିଳା ଟଙ୍କା ବାଣ୍ଟୁଥିବାର ଏକ ଭିଡ଼ିଓ ଦେଖାଇ ଧାମନଗରରେ ବିଜେଡି ପାଇଁ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ବିଜେପିର ଅଭିଯୋଗ ଏକ ଭିତ୍ତିହୀନ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।