ମୁଖ୍ୟମନ୍ତ୍ରୀଙ୍କ ଅଚାନକ୍ ସମୀକ୍ଷା, ବିଜେଡି ନେତାଙ୍କୁ ଡାକିଲେ ନବୀନ ନିବାସ, କହିଲେ…

ଭୁବନେଶ୍ୱର : ସବୁଦିନ ଭଳି ଆଜି ଚିରାଚରିତ ଧଳା କୁର୍ତ୍ତା କିମ୍ବା ପାଇଜାମା ପିନ୍ଧିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଲକା ଫୁଲକା ମର୍ଣ୍ଣିଂ ଓ୍ୱାକର କଷ୍ଟ୍ୟୁମ୍ । ବ୍ଲାକ୍ ଟି ସର୍ଟ ସହ ବ୍ଲାକ୍ ଟ୍ରାଉଜରର କମ୍ବିନେସନ୍ । ହଠାତ୍ ସକାଳୁ ସକାଳୁ ବିଜେଡିର କିଛି ନେତାଙ୍କୁ ଡକରା ହେଲା ତୁରନ୍ତ ନବୀନ ନିବାସ ଆସିବାକୁ । ମୁଖ୍ୟମନ୍ତ୍ରୀ ବୈଠକ କରିବେ ପାର୍ଟିର କିଛି କାର୍ଯ୍ୟକ୍ରମକୁ ନେଇ ।

ପାର୍ଟି କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏହାପରେ ଅଚାନକ ନେତାମାନେ ପହଞ୍ଚିଥିଲେ ନବୀନ ନିବାସରେ । ଦଳର ସଭ୍ୟସଂଗ୍ରହ ଅଭିଯାନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଦଳୀୟ ସୁପ୍ରିମୋ। କମ୍ ସଭ୍ୟ ସଂଗ୍ରହ କରିଥିବା ନେତା ଆସିଥିଲେ ମୁଖିଆଙ୍କ ସ୍କାନରକୁ । ସେ ସମସ୍ତଙ୍କୁ ଡକାଯାଇଥିଲା ନବୀନ ନିବାସ, ମୁଖ୍ୟମନ୍ତ୍ରୀ କରିଥିଲେ ବୈଠକ । ଡିସେମ୍ୱର ୫ ସୁଦ୍ଧା ସଭ୍ୟ ସଂଗ୍ରହ ଅଭିଯାନ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଦଳୀୟ ନେତା ତତ୍ପର ହୋଇପଡିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ସରପ୍ରାଇଜ୍ ସମୀକ୍ଷାକୁ ନେଇ ନେତାଙ୍କ ମଧ୍ୟରେ ଛନକା  ମଧ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ କେବେ ଏଭଳି ଗେଟଅପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥାଏ । ନବୀନ ନିବାସକୁ ଆସିଥିବା ସମସ୍ତ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଗେଟଅପ୍ ଦେଖି ସମସ୍ତେ କହୁଥିଲେ ସୁପ୍ରିମୋ ହେବ ତ ଏମିତି ?

ତେବେ ଗତଥର ୪୫ ଲକ୍ଷ ସଭ୍ୟ ବିଜେଡିରେ ଥିଲେ। ଏଥର ଗତଥରର ସଂଖ୍ୟାରୁ ୫୦ ପ୍ରତିଶତ ଅଧିକ ସଭ୍ୟ ସଂଗ୍ରହର ଟାର୍ଗେଟ ରହିଛି। ପୂର୍ବରୁ ଅକ୍ଟୋବର ୩୧ ସୁଦ୍ଧା ସରୁଥିବା ବିଜେଡ଼ିର ସଭ୍ୟସଂଗ୍ରହ ଅଭିଯାନକୁ ଆଉ ୪ ସପ୍ତାହ ବୃଦ୍ଧି କରାଯାଇଥିଲା। ଏବେ ଡିସେମ୍ୱର ୫ ସୁଦ୍ଧା ସବୁ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ।

Leave a Reply