ବିଜୁ ବାବୁଙ୍କୁ ଅପମାନିତ କରିଛି ଡବଲ ଇଂଜିନ ସରକାର: ବିଜେପି ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ବର: ମାଆମାନଙ୍କୁ ସଶକ୍ତ କରିବାକୁ ବିଜୁବାବୁ ନେଇଥିଲେ ସ୍ବତନ୍ତ୍ର ପଦକ୍ଷେପ । ୯୦ ଦଶକରେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ ଗୁରୁତ୍ବ ଦେଇ ପଞ୍ଚାୟତରେ ରଖିଥିଲେ ୩୩% ସଂରକ୍ଷଣ । ସରକାରୀ ଚାକିରିରେ ବି କରିଥିଲେ ସଂରକ୍ଷଣ ବ୍ୟବସ୍ଥା । ତାହା ଆଜି ସଫଳ ହୋଇଛି । ମାଆମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । ହେଲେ ମାଆମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ ଅପମାନିତ କରିଛି ଡବଲ ଇଂଜିନ ସରକାର । ଏନେଇ ଶଙ୍ଖ ଭବନରେ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି ଆଡ଼ମ୍ବର ସହକାରେ ବିଜେଡି ପାଳିଛି ଅନ୍ତର୍ଜାତୀୟ ମହିଳା ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ନେଇ ନବୀନ ବିଜେପି ଉପରେ ବର୍ଷିଛନ୍ତି । ମାଆମାନଙ୍କ ରାଜନୈତିକ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ କାମ କରୁଛି । ହେଲେ ପଂଚାୟତିରାଜ ଦିବସ ତାରିଖ ବଦଳାଇ ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଥିବାରୁ ଆପତ୍ତି ଜଣାଇଛନ୍ତି ନବୀନ । ପଞ୍ଚାୟତି ରାଜ ଅନୁଷ୍ଠାନକୁ ମଜଭୁତ୍ କରିଥିବା ଓ ମାଆମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ ଡବଲ ଇଂଜିନ ସରକାର ଅପମାନିତ କରିଥିବାରୁ ନବୀନ ଦୁଃଖ ପ୍ରକାଶ କରିଛନ୍ତି । ବିଜୁଙ୍କ ଜୟନ୍ତୀକୁ ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତି ରାଜ ଦିବସ ଭାବେ ପାଳନକରାଗଲା ନାହିଁ ବୋଲି ଅଭିଯୋଗକୁ ଶାଣିତ କରିଛନ୍ତି ନବୀନ । ସଂସଦ ଓ ରାଜ୍ୟ ବିଧାନସଭାରେ ମାଆ ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜେଡି ଲଢେଇ ଜାରି ରଖିଛି ।

ବିଜେପି ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛି । ନବୀନ ପଟ୍ଟନାୟକଙ୍କ ସରକାର ସମୟର ମିଶନ ଶକ୍ତି କାର୍ଯ୍ୟକ୍ରମ ମାଆମାନଙ୍କୁ ସଶକ୍ତ କରିବା ସହ ଆତ୍ମନିର୍ଭର କରିଛି । ଡବଲ ଇଞ୍ଜିନ ସରକାରଙ୍କ ମିଶନ ଶକ୍ତି ପରି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବନ୍ଦ କରିବା ଚକ୍ରାନ୍ତ ବିରୋଧରେ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।ସ୍ବାଭିମାନୀ ମାଆମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ପ୍ରଚାର ପାଇଁ ଡବଲ ଇଞ୍ଜିନ ସରକାର ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ବାହାଦୁରୀ ନେବାକୁ ଚେଷ୍ଟା କରୁଥିବାରୁ ସରକାରଙ୍କୁ ନବୀନ କଟାକ୍ଷ କରିଛନ୍ତି । ୨୭ ଟଙ୍କାରେ ମାଆମାନେ ନିଜ ପରିବାର ପାଇଁ ଏକ୍ ଲିଟରେ କ୍ଷୀର କିଣିପାରିବେ କି ? ମଞ୍ଚରୁ ଏହି ପ୍ରଶ୍ନ ପ୍ରତି ମହିଳାଙ୍କୁ ପଚାରିଥିଲେ ନବୀନ । ମାଆମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡିର ମହିଳା କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି ନବୀନ । ବିଜୁ ଜନତା ଦଳ ମାଆମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ କାମ କରୁଛି । ଏବେ ଦୂତ ସାଜି ପ୍ରତି ପରିବାରକୁ ବିଜେଡିର ନୀତି ଓ ଆଦର୍ଶ ସମ୍ପର୍କରେ ସଚେତନ କରିବାକୁ ନବୀନ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର, କୁଞ୍ଜଳତା ସାମଲ, ଓଜସ୍ବିନୀ ମାହାର, ଜୟନ୍ତୀ ପ୍ରଧାନ, ଡ଼କ୍ଟର ଜ୍ୟୋତିର୍ମୟୀ ମହାନ୍ତି ଓ ଡ଼କ୍ଟର ରୋଜା ଘୋଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ନବୀନ ।