ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ, ଦଳୀୟ ସ୍ବାର୍ଥ ଲାଗି ନୀତି ଓ ନୈତିକତା ହରାଇଲେ ଓ-ଟିଭି, ଡିଜିଟାଲ ପୋର୍ଟାଲ ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ନ୍ଯୁଜ

1 min read

ଭୁବନେଶ୍ବର: ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ। ଅନ୍ଯ କେହି ନୁହଁ, ଖୋଦ ଗଣମାଧ୍ଯମ କଲେ ଆଚରଣ ବିଧି ଉଲ୍ଲଂଘନ। ଦଳୀୟ ସ୍ବାର୍ଥ ଲାଗି ନୀତି ଓ ନୈତିକତା ହରାଇଲେ ଗଣମାଧ୍ଯମ ସଂସ୍ଥା। ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ହେୟଜ୍ଞାନ କଲେ ଓ-ଟିଭି ଓ ଏହାର ଡିଜିଟାଲ ପୋର୍ଟାଲ ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ନ୍ଯୁଜ। ଏହା ବିରୋଧରେ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେଡି ଟିମ। ବିଜେଡି ଟିମ ଦର୍ଶାଇଛି- ଏହି ୩ଟି ସଂସ୍ଥାର ମନମାନିକୁ ଦେଖିଲେ ଲାଗୁଛି ସତେ ଯେପରି ଦୁଇ ପ୍ରକାର ଆଚରଣ ବିଧି ନିୟମ ରହିଛି। ଗୋଟିଏ ବିଧି ଓ-ଟିଭି, ଏହାର ଡିଜିଟାଲ ପୋର୍ଟାଲ ଓଡ଼ିଶା ରିପୋର୍ଟର ଏବଂ ଅର୍ଗସ ନ୍ଯୁଜ ଲାଗି। ଅନ୍ଯ ଟିଭି ଚାନେଲ ଲାଗି ଅନ୍ଯ ପ୍ରକାର ନୀତି। ଓ-ଟିଭି ପକ୍ଷରୁ ଓଡ଼ିଶା ବିଜେପି ଲାଗି ପେଡ ନ୍ୟୁଜ ହିସାବରେ ଏକ ପ୍ରଚାର ଅଭିଯାନ କରାଯାଇଛି। ଏଥିରେ ଜଣେ ବିଜେପି ନେତା ତଥା ଏମପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ବିଜେପିକୁ ଭୋଟ ଦେବା ଲାଗି ଭୋଟରଙ୍କୁ ଆହ୍ବାନ କରୁଛନ୍ତି। ଏପରିକି ନିଷିଦ୍ଧ ସମୟକାଳରେ ବି ଏହା ପ୍ରସାରିତ ହୋଇଥିବା ଦେଖାଯାଇଛି। ବିଜେପିକୁ ଭୋଟ ଦିଅନ୍ତୁ ଏବଂ ଏକ ନୂଆ ଓଡ଼ିଶା ଗଢିବା ବୋଲି ସେ କହୁଛନ୍ତି। ସେହିପରି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଯାଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳିର ଜନମତକୁ ପ୍ରସାରିତ କରାଯାଇଛି। ଏହି ପ୍ରସାରଣର ବିଭିନ୍ନ ପ୍ରମାଣ ବି ସିଇଓଙ୍କ ନିକଟରେ ଦାଖଲ କରିଥିଲେ ବିଜେଡି ଟିମ। ତେଣେ ଆସନ୍ତା ୧ ତାରିଖରେ ଭୋଟ ହେବାକୁ ଯାଉଥିବା ଯାଜପୁର ଜିଲ୍ଲା ସମ୍ପର୍କରେ ଏକ ବ୍ଯାପକ ତର୍କବିତର୍କ କାର୍ଯ୍ୟକ୍ରମ ପରିବେଷଣ କରିଛି ଅର୍ଗସ ନ୍ଯୁଜ। ଆଦର୍ଶ ଆଚରଣ ବିଧି ଅନୁସାରେ ନିଷିଦ୍ଧ ସମୟ ପରେ କୌଣସି ତର୍କ ବିତର୍କ କିମ୍ବା ସାକ୍ଷାତକାର ପ୍ରସାରଣ ହେବା କଥା ନୁହେଁ। ମାତ୍ର ଅର୍ଗସ ନ୍ୟୁଜ ତର୍କବିତର୍କ କାର୍ଯ୍ୟକ୍ରମ ପରିବେଷଣ କରି ଆଚରଣ ବିଧି ଉଲ୍ଲଂଘନ କରିଛି। ପ୍ରମାଣ ସ୍ବରୂପ ଏହାର ସ୍କ୍ରିନସଟ ଓ ୱେବ ଲିଙ୍କ ସିଇଓଙ୍କୁ ପ୍ରଦାନ କରିଛି ବିଜେଡି ଟିମ। ୧୯୫୧ ଜନ ପ୍ରତିନିଧି ଆଇନ ଅନୁସାରେ ଓ-ଟିଭି, ଓଡ଼ିଶା ରିପୋର୍ଟର ଓ ଅର୍ଗସ ନ୍ଯୁଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଯଦି ଏହି ସଂସ୍ଥାଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି କହିଛି ବିଜେଡି।