ତିରୋଧାନ ଦିବସରେ ବିଜୁ ବାବୁଙ୍କୁ ମନେ ପକାଉଛି ଓଡ଼ିଶା, ନବୀନ ଦେଲେ ଶ୍ରଦ୍ଧାଞ୍ଜଳି
ନନ୍ଦିଘୋଷ ବ୍ୟୁରୋ: ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ୍ ଜନନାୟକ, ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ୨୯ ତମ ତିରୋଧାନ ଦିବସ । କୋଟି ଓଡ଼ିଆଙ୍କ ଜନନାୟକ ବିଜୁ ବାବୁଙ୍କୁ ଆଜି ମନେ ପାକଉଛନ୍ତି ରାଜ୍ୟବାସୀ । ରାଜ୍ୟର ସବୁ ସ୍ଥାନରେ ବିଜୁ ବାବୁଙ୍କୁ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି ।
ଶ୍ରଦ୍ଧା ଓ ସମ୍ମାନର ସହିତ ବିଜୁ ଜନତା ଦଳର କର୍ମୀ, କର୍ମକର୍ତ୍ତା, ନେତୃବୃନ୍ଦ, ଯୁବ, ଛାତ୍ର, ମହିଳା ଶାଖା ତଥା ସମସ୍ତ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ସାରା ରାଜ୍ୟରେ ପାଳିତ ହେଉଛି ତିରୋଧାନ ଦିବସ । ଅନେକ ସ୍ଥାନରେ ରକ୍ତଦାନ ଶିବିର ସହ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସେହିଭଳି ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ସନ୍ଧ୍ୟାରେ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରହିଛି । ବିଜେଡି ସଂସଦୀୟ ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବେ ।
ନବୀନ ଦେଲେ ଶ୍ରଦ୍ଧାଞ୍ଜଳି
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିରୋଧୀ ଦଳ ନେତା ତାଙ୍କ ତାଙ୍କ ପୁଅ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ନବୀନ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶାର ଗୌରବ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଶର ସ୍ଵାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଲୋକଙ୍କ ହାତରେ କ୍ଷମତା ପ୍ରଦାନ କରି ସେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ । ରାଜନୀତିରେ ମହିଳାଙ୍କ ପାଇଁ ସଂରକ୍ଷଣ, ଶିଳ୍ପଠୁ ଆରମ୍ଭ କରି ଓଡ଼ିଆ ସ୍ଵାଭିମାନ ରକ୍ଷାରେ ତାଙ୍କର ଅବଦାନ ଅତୁଳନୀୟ । ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ବିଜୁ ଜନତା ଦଳ ଓଡ଼ିଶା ମାଟିର ସେବାରେ ସଦା ସମର୍ପିତ ।
ସେହିପରି ବିଜେଡି ତରଫରୁ ଭୁବନେଶ୍ବର ଫରେଷ୍ଟ ପାର୍କ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶଅଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏଥିରେ ବିଜେଡିର ବହୁ ନେତା ସାମିଲ ହୋଇ ବିଜୁ ବାବୁଙ୍କ ଅବଦନାକୁ ସ୍ମରଣ କରିଥିଲେ । ଦଳ ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯାଉଛି । ଏହି ତିଳତର୍ପଣରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ଦେବୀ ମିଶ୍ର, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା-ନେତ୍ରୀ, ବିଜୁ ପ୍ରେମୀ ସାମିଲ ହୋଇଛନ୍ତି ।

