ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ, ଶ୍ରୀକ୍ଷେତ୍ରକୁ ଛୁଟୁଛନ୍ତି ୪୦ରୁ ୫୦ ହଜାର କର୍ମୀ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳର ରୋପ୍ୟ ଜୟନ୍ତୀ । ଦଳ ପାଳୁଛି ୨୬ତମ ପ୍ରତିଷ୍ଠା ଦିବସ । ଶ୍ରୀକ୍ଷେତ୍ରରେ ଏବର୍ଷ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେଉଛି । ଏଥିରେ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁଣି ଥରେ ଦଳୀୟ କର୍ମୀ ଶଙ୍ଖକ୍ଷେତ୍ରରେ ଜନସେବା ପାଇଁ ସଂକଳ୍ପ ନେବେ ।

ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ପୁଣି ଥରେ ବିଜେଡି ସୁପ୍ରିମୋ ଦେବେ ଗୁରୁମନ୍ତ୍ର । ଏଥିପାଇଁ ନେତା ଓ କର୍ମୀ ମହଲରେ ଦେଖିବାକୁ ମିଳିଛି ଭରପୂର ଉତ୍ସାହ । ରାଜ୍ୟବାସୀଙ୍କ ସେବାରେ ୨୫ ବର୍ଷ ପୂର୍ତ୍ତି ଉତ୍ସବକୁ ପାଳନ କରୁଛି ଦଳ। ପୁରୀ ତାଳବଣିଆରେ ସମସ୍ତ ପ୍ରସ୍ତୁତି ହୋଇଛି । ୧୯୯୭ ମସିହା ଡିସେମ୍ବର ୨୬ରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ ।

ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ବାଛିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସେବା କରିଆସୁଛି ଦଳ । ଆଉ ସେଥିପାଇଁ ରାଜ୍ୟବାସୀ ଥରେ ନୁହେଁ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ୧୯୯୯ ମସିହାର ମହାବାତ୍ୟାର ବିଭିଷୀକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି କ୍ଷମତାସୀନ ହୋଇଥିଲା। ଦିନେ ନିଅଣ୍ଟିଆ ରାଜ୍ୟର ପରିଚୟ ପାଇଥିବା ଓଡ଼ିଶା ଏବେ ଦେଶକୁ ଆହାର ଯୋଗାଉଛି ।

ଓଡ଼ିଶାବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳର ରୋପ୍ୟ ଜୟନ୍ତୀ ସମାରୋହରେ ରାଜ୍ୟବାସୀଙ୍କ ପାଇଁ କିପରି ଆହୁରି ଅଙ୍ଗୀକାରବଦ୍ଧ ହୋଇ କିପରି କାର୍ଯ୍ୟ କରିବେ ସେନେଇ ଦଳ ସଭାପତି ଗୁରୁମନ୍ତ୍ର ଦେବେ ।