ବିଜେଡି ପାଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ । ବିକାଶ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ମାଆ ଓ ମାଟି ପାଇଁ କାମ କରିବାର ଆଗ୍ରହ ତାଙ୍କୁ ରାଷ୍ଟ୍ରନେତା ବା ଷ୍ଟେଟସମ୍ୟାନ ଆଖ୍ୟା ଦେଇଛି । କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏଁ ଏହି ଟଲ ମ୍ୟାନ ଛାଡିଯାଇଛନ୍ତି ନିଜ ସାହାସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ ।

ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତୀରେ ବିଜେଡି ପକ୍ଷରୁ ସବୁ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ବିଶାଳ ଆୟୋଜନ କରାଯାଉଛି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ରହିଛି । ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ ହେଉଛି ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ।

ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତା, କର୍ମୀ, ବିଜୁବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ। ବିଜେଡିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିରନ୍ତର ଉତ୍ସର୍ଗ କରିବାକୁ ବିଜେଡି କର୍ମୀମାନେ ସଙ୍କଳ୍ପ ନେବେ ।